Site icon ଆଜିକାଲି

ଯାତ୍ରୀବାହି ବସ ଯାଞ୍ଚ ଆରମ୍ଭ, ୫୧ ବସ୍‌ର ଚାଲାଣ କଟିଲା


କେନ୍ଦୁଝର, (ବ୍ରଜକିଶୋର ରାୟ) କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଯାତ୍ରୀବାହି ବସ ଯାଞ୍ଚ ଆରମ୍ଭ ହୋଇଛି। ବସ୍‌ର ରୁଟ୍‌ ପରମିଟ, ଫିଟନେସ, ଇନ୍ସ୍ୟୁରାନ୍ସ, ଯାତ୍ରୀଙ୍କ ସୁରକ୍ଷା ଆଦି ବିଷୟରେ ଯାଞ୍ଚ କରାଯାଇ ଖିଲାପ କରିଥିବା ସମୁଦାୟ ୫୧ ବସ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାଲାଣ କଟା ଯାଇଥିବା ପରିବହନ ବିଭାଗ ପକ୍ଷରୁ ଜଣାପଡ଼ିଛି। ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ଜାରି ରହିଛି। କେନ୍ଦୁଝର ଜିଲାରେ କେତେକ ବସ ବିନା ପରମିଟ୍‌ରେ ଅଲଗା ରୁଟ୍‌ରେ ବସ ଚଳାଚଳ କରୁଥିବା ବେଳେ ପରମିଟ ଅନୁଯାୟୀ ଠିକ୍‌ ସ୍ଥାନରୁ ବସ ଚଳାଚଳ ଆରମ୍ଭ ହେଉ ନ ଥିବା ନେଇ ଅଭିଯୋଗ ହୋଇଆସୁଛି। ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଭଡ଼ା ନିର୍ଦ୍ଧାରଣ ଠିକ୍‌ ଭାବେ କରାଯାଇ ଯାତ୍ରୀଙ୍କ ସୁବିଧା ପାଇଁ ସୂଚନା ଫଳକ ବିଭିନ୍ନ ବସ୍‌ଷ୍ଟାଣ୍ଡ ବା ବସ୍ ଷ୍ଟପ୍‌ ମାନଙ୍କରେ ଲଗାଯାଉ ନ ଥିବାରୁ ଯାତ୍ରୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ଏଣୁ ଏ ସବୁ ଦିଗକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ଦାବି ମଧ୍ୟ ହେଉଛି।

Exit mobile version