Site icon ଆଜିକାଲି

ଆଜିଠୁ ଭୁବନେଶ୍ୱରରେ ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ସମ୍ମିଳନୀ : ଓଡ଼ିଶାର ମାଣ୍ଡିଆ ମିଶନର ସଫଳତା ଜାଣିବ ବିଶ୍ୱ

ଭୁବନେଶ୍ଵର – ପୁଷ୍ଟିଶସ୍ୟ ଉତ୍ପାଦନ ଓ ଚାଷର ପ୍ରୋତ୍ସାହନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଛି ଓଡ଼ିଶା। ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ମାଣ୍ଡିଆ ଆଉ ଏବେ ସାଧାରଣ ଖାଦ୍ୟ ହୋଇ ରହିନାହିଁ। ଏହା ଏବେ ସୁପରଫୁଡରେ ପରିଣତ ହୋଇଛି।

ଏବେ ପ୍ରଥମଥର ଓଡ଼ିଶା ଆୟୋଜନ କରୁଛି ମିଲେଟ୍ସ ବା ପୁଷ୍ଟିଶସ୍ୟ ଅନ୍ତର୍ଜାତୀୟ ସମ୍ମିଳନୀ। ଆଜିଠୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହେଉଛି ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୨୦୨୩। ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟ୍ସ’। ସମ୍ମିଳନୀରେ ବିଭିନ୍ନ ଦେଶରୁ ପ୍ରାୟ ୩୦୦ ପ୍ରତିନିଧି ଯୋଗ ଦେବେ ।

ସମ୍ମିଳନୀରେ ମିଲେଟ୍ସ ଚାଷ ଏବଂ ପ୍ରକ୍ରିୟାକରଣରେ କୃଷକମାନଙ୍କ ସଂପୃକ୍ତି ଉପରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିସହିତ ମିଲେଟ୍ସ ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ ଅଧିବେଶନ, ଖାଦ୍ୟ ମେଳା, କୁଇଜ ଓ ରନ୍ଧନ ପ୍ରତିଯୋଗିତା ଆଦିର ଆୟୋଜନ କରାଯିବ।

ଏହି ସମ୍ମିଳନୀରେ ଖାଦ୍ୟ ଏବଂ କୃଷି ସଙ୍ଗଠନ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲପମେଣ୍ଟ, ଦକ୍ଷିଣ-ପୂର୍ବ ଏସିଆ ଏବଂ ମଧ୍ୟପ୍ରାଚ୍ୟ ଦେଶର କୃଷି ପରାମର୍ଶଦାତା, ଭାରତରେ ଅବସ୍ଥାପିତ ବିଭିନ୍ନ ଦେଶର ଦୂତାବାସ ଅଧିକାରୀ ଓ ବିଭିନ୍ନ ରାଜ୍ୟର କୃଷି ସଚିବ ଯୋଗ ଦେବେ।

୨୦୨୩କୁ ଅନ୍ତର୍ଜାତୀୟ ପୁଷ୍ଟି ଶସ୍ୟ ବର୍ଷ’ ଭାବେ ଘୋଷଣା କରାଯାଇଛି । ମିଲେଟ୍ସ ବା ପୁଷ୍ଟିଶସ୍ୟର ଉପକାରିତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ସହ ଚାଷ କ୍ଷେତରେ ଏହାର ଉତ୍ପାଦନକୁ ଆହୁରି ବୃଦ୍ଧି କରିବା ହେଉଛି ପୁଷ୍ଟିଶସ୍ୟ ବର୍ଷ ପାଳନର ଉଦ୍ଦେଶ୍ୟ।

ମାଣ୍ଡିଆ, କାଙ୍ଗୁ, ସୁଆଁ, ଜହ୍ନା ଆଦି ହେଉଛି ପୁଷ୍ଟିଶସ୍ୟ । ଏହି ପୁଷ୍ଟିଶସ୍ୟ ପାହାଡ଼ିଆ ଅଞ୍ଚଳରେ ହୋଇଥାଏ। ପୁଷ୍ଟିଶସ୍ୟର ଲୋକପ୍ରିୟତା ବୃଦ୍ଧି ପାଇଁ ୨୦୧୭ରେ ଓଡ଼ିଶା ସରକାର ଆରମ୍ଭ କରିଥିଲେ ‘ଓଡ଼ିଶା ମିଲେଟ୍ସ ମିଶନ’ । ମିଶନ ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ସରକାର ପ୍ରୋତ୍ସାହନ ଦେବା ସହିତ ଏହାକୁ ଚାଷଜମିରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମିଲେଟ୍ସକୁ ନେଇ ଏଭଳି ଏକ ମିଶନ କରିବାରେ ସାରା ଭାରତରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ହୋଇଛି। ‘ଓଡ଼ିଶା ମିଲେଟ୍ସ ମିଶନ’କୁ ନୀତି ଆୟୋଗ ପ୍ରଶଂସା କରିଛି । ଓଡ଼ିଶା ଭଳି ଏକ ଆଦିବାସୀ ବହୁଳ ରାଜ୍ୟରେ ମିଲେଟ୍ସ ବା ପୁଷ୍ଟିଶସ୍ୟ ଏକ ପାରମ୍ପରିକ ଚାଷ। ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ବହୁଳ ଭାବେ ପୁଷ୍ଟିଶସ୍ୟ ଚାଷ ହୋଇଥାଏ। ମାତ୍ର ଏବେ ସାରା ରାଜ୍ୟକୁ ବ୍ୟାପିଛି ମିଲେଟ୍ସ। ଓଡ଼ିଶା ମିଲେଟ୍ସ ମିଶନର ତଥ୍ୟ ଅନୁସାରେ ରାଜ୍ୟର ୩୦ଟି ଜିଲ୍ଲାରେ ଏବେ ମୋଟ ୧୭୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ କରାଯାଉଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୨୨ରେ ମାର୍ଗଶିର ମାସ ପ୍ରଥମ ଗୁରୁବାର ( ନଭେମ୍ବର ୧୦ )କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଥିଲା ।

Exit mobile version