Site icon ଆଜିକାଲି

ଆଇପିଏଲ୍ ୨୦୨୩ : ୮ ଓ୍ଵିକେଟ୍‌ରେ ହାଇଦ୍ରାବାଦକୁ ପରାସ୍ତ କରି ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୍ ୨୦୨୩ର ଏକ ମ୍ୟାଚରେ ରବିବାର କ୍ୟାମେରୁନ ଗ୍ରୀନଙ୍କ ପ୍ରହାରରେ ଧରାଶାୟୀ ହାଇଦ୍ରାବାଦ । ବଡ଼ ସ୍କୋର ମୁକାବିଲାରେ ଦମଦାର ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ। କ୍ୟାମେରୁନ୍ ଗ୍ରୀନଙ୍କ ଧୂଆଁଧାର ଅପରାଜିତ ଶତକ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୬୯ତମ ମ୍ୟାଚ୍‌ରେ ୮ ଓ୍ଵିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ଗୁରୁତ୍ଵପୂର୍ଣ୍ଣ ବିଜୟ ସହିତ ମୁମ୍ବାଇର ପ୍ଲେ ଅଫ ଖେଳିବା ଆଶା ଉଜ୍ଜୀବିତ ରହିଛି। ଦଳକୁ ଏବେ ଗୁଜରାଟ୍ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲାର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଅନ୍ୟପଟେ ଶୋଚନୀୟ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ସନରାଇଜର୍ସ ହାଇଦ୍ରାବାଦ ।

ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୦ ରନ କରିଥିଲା। ମୟଙ୍କ ଅଗ୍ରଓ୍ଵାଲ (୮୩ ରନ) ଏବଂ ବିଭ୍ରାନ୍ତ ଶର୍ମା (୬୯ ରନ) ପ୍ରଥମ ଓ୍ଵିକେଟ୍‌ରେ ୧୪୦ ରନ ଯୋଡିବାରୁ ହାଇଦ୍ରାବାଦ ଏହି ସ୍କୋରରେ ପହଞ୍ଚି ପାରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମେରୁନ ଗ୍ରୀନଙ୍କ ବିସ୍ଫୋରକ ଅପରାଜିତ ଶତକ(୧୦୦) ବଳରେ ୨୦୧ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୨ ଓ୍ଵିକେଟ୍ ହରାଇ ୧୮ ଓଭରରେ ହାସଲ କରି ନେଇଛି। ଅଧିନାୟକ ରୋହିତ ଶର୍ମା ୫୬ ରନର ଉପଯୋଗୀ ଇନିଂସ ଖେଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୫ ରନରେ ଅପରାଜିତ ଥିଲେ।

Exit mobile version