Site icon ଆଜିକାଲି

ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ 

ଭୁବନେଶ୍ୱର – ଓଡ଼ିଶାର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ ହେବ । ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡାକଡି ନିରୀକ୍ଷଣ କରାଯିବ l ଖିଲାପକାରୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ ।

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ , ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ ଆହୂତ କରାଯିବ । ଚଳିତମାସରୁ ଅନୁପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା / ଲାଇସେନ୍ସ ରଦ୍ଦ କରାଯିବ । ଜିଲ୍ଲା ଶ୍ରମ ଅଧିକାରୀ , ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନେ କଡାକଡି ନିରୀକ୍ଷଣ କରିବେ । ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପରି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା । ଏଥନିମିତ୍ତ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଦ୍ବାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ କରାଯାଇଅଛି । ଏଯାବତ ରାଜ୍ୟର ପୌରାଞ୍ଚଳରେ ମୋଟ ୫୨ , ୦୦୦ ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭ , ୦୦୦ ପ୍ରତିଷ୍ଠାନରେ ଓଡ଼ିଆର ନାମଫଳକ ଲେଖାଯାଇଅଛି । କିଛି ଖିଲାପକାରୀ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ବିରୁଦ୍ଧରେ ମକଦ୍ଦମା ସହିତ ଜୋରିମାନା ମଧ୍ୟ କରାଯାଇଅଛି । ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ , ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ , ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରିବର୍ତ୍ତିତ ଅଧିନିୟମର କଡାକଡ଼ି ଅନୁପାଳନ କରାଯିବା ପାଇଁ ନିଷ୍ପରି କରାଗଲା ।

ଶ୍ରମ ଆୟୁକ୍ତ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମଫଳକ ଲଗାଇବା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏହାର କଡାକଡି ନିରୀକ୍ଷଣ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଚଳିତମାସଠାରୁ ଖିଲାପକାରୀଙ୍କୁ ୭ଦିନିଆ ନୋଟିସ ଦିଆଯିବ । ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ , ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା / ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ ୫୦୦୦ ଟଙ୍କା ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ , ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ କରି ଏହାର ସମୀକ୍ଷା କରିବା ସହିତ ବିବରଣୀ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗଙ୍କୁ ପ୍ରଦାନ କରିବା ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

Exit mobile version