Site icon ଆଜିକାଲି

ମଦ କମ୍ପାନୀ ଅଫିସରେ ଆଇଟି ରେଡ୍,୨୦୦ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର – ମଦ ପ୍ରସ୍ତୁତକାରୀ ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ ହୋଇଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ଚଢ଼ାଉ ବେଳେ ଜବତ ହୋଇଛି ୨ ଶହ କୋଟିରୁ ଅଧିକ ନଗଦ ଟଙ୍କା।

ଗତରାତିରେ ଆୟକର ବିଭାଗର ଚଢ଼ାଉ ବେଳେ ୯ଟି ଆଲମାରିରେ ଥାକ ଥାକ ଟଙ୍କା ଥିବା ଜଣାପଡିଛି। ଜବତ ଟଙ୍କା ସବୁ ପ୍ରାୟ ୫ଶହ ଟଙ୍କିଆ ନୋଟ୍‌ ଥିବା ଜଣାଯାଇଛି। ଜବତ ଟଙ୍କାକୁ ବସ୍ତାରେ ପୂରାଯାଇ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କକୁ ଗଣତି ପାଇଁ ଅଣାଯାଇଛି।

ଜବତ ଟଙ୍କା ଗଣନା ସରି ନଥିବା ବେଳେ ଆଜି ଦ୍ୱିତୀୟ ଦିନରେ ବି ସକାଳୁ ଟିଟିଲାଗଡ଼, ବୌଦ୍ଧ, ବଲାଙ୍ଗିରର ସୁତପଡ଼ାସ୍ଥିତ ମଦଭାଟିରେ ଚଢ଼ାଉ ଆରମ୍ଭ ହୋଇଛି । ଗତକାଲି ଆଇଟି ରେଡ୍ ହୋଇଥିବା ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ କଂପାନୀର ପାର୍ଟନରସିପ୍ ଫାର୍ମ ହେଉଛି ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀ। ଗତକାଲି ସୁନ୍ଦରଗଡ ସହରର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ୱାଲଙ୍କ ଘର, ଅଫିସ ଓ ସର୍ଗିପାଲିସ୍ଥିତ ଦେଶୀ ମଦ ଭାଟିରେ ମଧ୍ୟ ଚଢାଉ କରିଥିଲା ଆୟକର ଟିମ୍।

ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡର ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ କର୍ପୋରେଟ୍ ଅଫିସ ଏବଂ କିଛି ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ବୌଦ୍ଧ ରା଼ମ୍ଭିକଟାସ୍ଥିତ କମ୍ପାନୀର ଫ୍ୟାକଟ୍ରୀ ଓ ଅଫିସରେ ବି ଚଢାଉ ହୋଇଛି। କମ୍ପାନୀ ସହ ଲିଙ୍କ ଅଭିଯୋଗରେ ବୌଦ୍ଧ ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ଅନ୍ୟ ସ୍ଥାନରେ ଚଢାଉ କରିଛନ୍ତି ଆୟକର ଟିମ୍। ସେପଟେ ବଲାଙ୍ଗୀର ଓ ଟିଟିଲାଗଡରେ ମଧ୍ୟ ଏକାଧିକ ମଦ ବ୍ୟବସାୟୀଙ୍କ ଉପରେ ଚଢାଉ ହୋଇଛି। ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘର ଏବଂ ମଦଭାଟିରେ ଆୟକର ବିଭାଗର ୩୦ ଜଣିଆ ଟିମ୍ ଚଢଉ କରିଛି।

Exit mobile version