Site icon ଆଜିକାଲି

ରାଜ୍ୟରେ ୫ରୁ ପୁଣି ବର୍ଷିବ, ୬ରୁ ବଢ଼ିବ

ଭୁବନେଶ୍ୱର : ଆଜି ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ମୌସୁମୀ ସକ୍ରିୟ ହେବା ଯୋଗୁଁ ଆକାଶ ମେଘାଚ୍ଛନ୍ନ ରହିବ । ଏହାର ପ୍ରଭାବରେ ରାଜ୍ୟରେ ବଢ଼ିଥିବା ତାପମାତ୍ର ହ୍ରାସ ପାଇବ । ଏହି ପରିପ୍ରେକ୍ଷୀରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ଆସନ୍ତା ୫ ଓ ୬ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଦେଇଛନ୍ତି ।

୫ ତାରିଖ ଦିନ ରାଜ୍ୟର କିଛି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ପୁରୀ, ଜଗତସିଂହପୁର ଓ କନ୍ଧମାଳ ଆଦି ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ୬ ତାରିଖ ଦିନ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ପୁରୀ, ଗଞ୍ଜାମ, ଖୋର୍ଧା, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ବାକି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ବୋଲି ଶ୍ରୀ ଦାସ କହିଛନ୍ତି ।

ସୂଚନା ଯେ, ରାଜ୍ୟରେ ଜୁନ ୧ ତାରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟରେ ୫୭୨ ମିଲିମିଟର ବର୍ଷା ହେବା କଥା । ମାତ୍ର ହୋଇ ୫୧୬ ମିଲିମିଟର ବର୍ଷା । ଅର୍ଥାତ ୧୦ % ବର୍ଷା କମ୍ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୭ ଜିଲାରେ ନିଅଂଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭଦ୍ରକ ଜିଲାରେ ୨୪%, ବଲାଙ୍ଗିର ଜିଲାରେ ୨୨%, ଝାରସୁଗାଡ଼ା ଜିଲାରେ ୨୧%, କଳାହାଣ୍ଡି ଜିଲାରେ ୨୦%, ମୟୂରଭଞ୍ଜ ଜିଲାରେ ୨୧%, ସମ୍ୱଲପୁର ଜିଲାରେ ୩୦%, ସୁନ୍ଦରଗଡ଼ ଜିଲାରେ ୪୧% କମ୍ ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ ଓ କନ୍ଧମାଳ ଜିଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । କନ୍ଧମାଳ ଜିଲାରେ ୨୫% ଓ ବୌଦ୍ଧ ଜିଲ୍ଲାରେ ୩୦% ଅଧିକ ବର୍ଷା ହୋଇଛି । ଗତ ୨୮ ତାରିଖଠାରୁ କ୍ରମାଗତ ଭାବେ ମୌସୁମୀ ଦୁର୍ବଳ ରହିଛି । ଏହି ଦୁର୍ବଳ ପ୍ରଭାବରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪.୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ଜିଲାର ପଟାମୁଣ୍ଡାଇଠାରେ କରାଯାଇଥିବା ଶ୍ରୀ ଦାସ କହିଛନ୍ତି ।

Exit mobile version