Site icon ଆଜିକାଲି

ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ! ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବର୍ଷା ଓ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ସାତୋଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ, ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପୁଟ, ରାୟଗଡ଼ା ଓ ଗଜପତି। ଏହାସହ ଆଉ କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ମଧ୍ୟ ରହିଛି। ବିଜୁଳି ଘଡଘଡିରୁ ବର୍ତ୍ତିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟକୁ ଜାରି ହୋଇଛି ୟେଲୋ ଚେତାବନୀ। କାଲିଠୁ ୩୦ ତାରିଖ ପର୍ଯ୍ୟନ୍ତ କମ୍ ରହିବ ବର୍ଷାର ପରିମାଣ। ୩୧ତାରିଖରୁ ପୁଣି ବଢିପାରେ ବୃଷ୍ଟିପାତ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୭୭୩. ୫ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବୃଷ୍ଟିପାତ ୮୪୫. ୮ ମିମି ତୁଳନାରେ ଏହା ୯ ପ୍ରତିଶତ କମ୍। ଏହି ସମୟ ମଧ୍ୟରେ ୨ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୧୭ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି।

Exit mobile version