Site icon ଆଜିକାଲି

ଜଟଣୀ ଖାସମାହଲ ଜମି ସମସ୍ୟାର ହେବ ସମାଧାନ, ଲୋକଙ୍କୁ ପଟ୍ଟା ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା । ଏ ସମସ୍ୟା ସଂପର୍କରେ ଜନସାଧାରଣ ୫-ଟି ସଚିବଙ୍କୁ ଜଣାଇଥିଲେ ।

ଏ ବିଷୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ୱାରା ୫୩୭ ପରିବାର ଉପକୃତ ହେବେ । ସେହିପରି ଭୁବନେଶ୍ୱର ତହସିଲରେ ପତିତ ଜମିର ସତ୍ତ୍ୱ ନେଇ ଦୀର୍ଘ ୬୦ ବର୍ଷ ଧରି ସମସ୍ୟା ଲାଗି ରହିଛି । ଏ ସମ୍ପର୍କରେ ବିଭିନ୍ନ ରାଜସ୍ୱ ଅଦାଲତରେ ୧୦୫୪୩ଟି ମାମଲା ଚାଲିଛି। ଏହି ପତିତ ଜମି ସମ୍ପର୍କରେ ଗଠିତ ରାଜସ୍ୱ ବିଭାଗର ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ଏସଓପି ଭିତ୍ତିରେ ଏ ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ, ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମିଳିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗର ସମାଧାନ ନିମନ୍ତେ ସମୟବଦ୍ଧ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ମାସ ମଧ୍ୟଭାଗରେ ମୁଖମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ।

Exit mobile version