Site icon ଆଜିକାଲି

ସୁନଗହଣା ଦୋକାନରୁ ଡକାୟତି ଉଦ୍ୟମ ପଣ୍ଡ: ବନ୍ଧୁକ ସହ ଜଣେ ଗିରଫ

ବରଗଡ଼: ବରଗଡ଼ ସହରର ବେସରକାରୀ ବସଷ୍ଟାଣ୍ଡ କେନାଲ ନିକଟରେ ଥିବା ଏକ ସୁନା ଗହଣା ଦୋକାନରୁ ସଶସ୍ତ୍ର ଡକାୟତି ଉଦ୍ୟମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଖବର ପ୍ରଘଟ ହେବା ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାରେ ଦୁଇ ଜଣ ଡ଼କାୟତ ଫେରାର ହୋଇଯାଇଥିବା ବେଳେ ଜଣକୁ କାବୁ କରିବାରେ ସଫଳ ହୋଇଛି ବରଗଡ଼ ପୋଲିସ । ଅଭିଯୁକ୍ତ ଠାରୁ ଏକ ବନ୍ଧୁକ ଓ ଡକାୟତି ଉଦ୍ୟମରେ ବ୍ୟବହୃତ କାରକୁ ଜବତ କରାଯାଇଛି ।

ସୂଚନା ମତେ କେନାଲ ନିକଟରେ ଥିବା ହୋଟେଲ ଓରିଏଣ୍ଟାଲ୍ ରେ ଗତକାଲି ୩ ଜଣ ଯୁବକ ଏକ କାର (ଏମପି-୦୯-ଡ଼ବ୍ଲୁ-୧୨୨୦)ରେ ରାତି ପ୍ରାୟ ୧୦ଟାରେ ଆସି ରହିଥିଲେ ଏବଂ ଆଜି ସକାଳେ ହଠାତ୍ ଅତର୍କିତ ଭାବରେ ହୋଟେଲ କର୍ମଚାରୀ ଓ ହୋଟେଲକୁ ଆସିଥିବା ଯାତ୍ରୀ ମାନଙ୍କୁ ବନ୍ଧୁକ ଦେଖାଇ ସମସ୍ତଙ୍କ ହାତ ଗୋଡ଼ ବାନ୍ଧି ପାଇଖାନାରେ ତାଲା ଦେଇ ଦେଇଥିବା ଜଣେ କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ ।

ତେବେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ହୋଟେଲଟି ରହିଥିବା ବେଳେ କଳେବଳେ କୌଶଳେ ଡ଼କାୟତଙ୍କ କବଳରୁ ଜଣେ ହୋଟେଲ କର୍ମଚାରୀ ବାହାରି ଆସି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବରପାଇ ଆଡ଼ିସିନାଲ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଘଟଣା ସ୍ଥଳରେ ପହଂଚି ବନ୍ଧକ ଥିବା ସମସ୍ତ ଲୋକଙ୍କୁ ପୋଲିସ ଉଦ୍ଧାର କରିବା ସହ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲା । କାବୁ କରାଯାଇଥିବା ଡ଼କାୟତ ଜଣକ ହିନ୍ଦୀ ଭାଷାରେ କଥା ହେଉଥିବାରୁ ଏହା ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅନ୍ୟପଟେ ବ୍ୟବହୃତ କାର ଓ ବନ୍ଧୁକ ଜବତ କରିବା ସହିତ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବରଗଡ଼ ସହରରେ ଦିନକୁ ଦିନ ଚୋରି, ଡକାୟତି, ହତ୍ୟା ଭଳି ଘଟଣାର ପ୍ରାଦୁର୍ଭାବ ବଢ଼ିବାରେ ଲାଗି ରହିଥିବାରୁ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହିତ ବିଭିନ୍ନ ସ୍ଥାନରେ ପୋଲିସ ଚେକ ପୋଷ୍ଟ ସ୍ଥାପନ କରି ବାହ୍ୟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବାକୁ ଅଞ୍ଚଳରେ ଦାବି ହେଉଛି।

Exit mobile version