Site icon ଆଜିକାଲି

ଝାରସୁଗୁଡ଼ା ଉପ-ନିର୍ବାଚନ : ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର : ଝାରସୁଗୁଡ଼ା ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି ଦଳ।

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ହେଉଛନ୍ତି ତରୁଣ ପାଣ୍ଡେ। ୧୯୮୦, ୧୯୮୫ ଓ ୧୯୯୫ରେ ଝାରସୁଗୁଡ଼ା ବିଧାୟକ ଥିଲେ ବୀରେନ୍ଦ୍ର ପାଣ୍ଡେ। ଏଥର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦୌଡ଼ରେ ତିନି ଜଣ ଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ନମିତା ବିଶ୍ବାଳଙ୍କ ସମେତ ତରୁଣ ପାଣ୍ଡେ ବି ଦୌଡ଼ରେ ଥିଲେ । ହେଲେ ତରୁଣ ପାଣ୍ଡେଙ୍କ ନାମରେ ମୋହର ମାରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ପ୍ରଥମେ ଶାସକ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ତେବେ ବିଜେପି ପକ୍ଷରୁ ଏ ଯାଏଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ନବକିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି । ମେ’ ୧୦ ତାରିଖରେ ଏଠାରେ ଭୋଟ ଗ୍ରହଣ ହେବ । ମେ’ ୧୩ରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Exit mobile version