Site icon ଆଜିକାଲି

ଆଜି ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଉଦଘାଟନ କରିବେ ଜେପି ନଡ୍ଡା

ଭୁବନେଶ୍ୱର : କଟକ ଜିଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିର୍ତାର) ଠାରେ ଶୁକ୍ରବାର ୧୦୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଉଦଘାଟିତ ହେବ । ସାଂସଦ ଜେ.ପି. ନଡ୍ଡା ଏହି ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ । ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପଦାଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଅତିଥିମାନଙ୍କ ଦ୍ୱାରା ଏସଭିନିର୍ତାର ପରିସରରେ ବୃକ୍ଷରୋପଣ, ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଅନାବରଣ ଏବଂ ଥେରାପି ପାର୍କ ଉଦଘାଟନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାପରେ ଆୟୋଜିତ ଏକ ସଭାରେ ଅତିଥିମାନେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଯୋଗ୍ୟ ଯେ, ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିର୍ତାର) ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ଏକ ସ୍ୱାୟତ ଶିକ୍ଷାନୁଷ୍ଠାନ ।

Exit mobile version