ଭୁବନେଶ୍ୱର : ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସକାଳ ସାଢ଼େ ୧୦ଟା ବେଳେ ଶ୍ରୀ ନଡ୍ଡା ଭୁବନେଶ୍ୱରରେ ଆସି ପହଞ୍ଚିବେ । ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ଅପରାହ୍ନରେ ସେ ପ୍ରତ୍ୟାବର୍ତ୍ତନ କରିବେ । ଦିନିକିଆ ଓଡ଼ିଆ ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରୁ ସିଧାସଳଖ ପାର୍ଟି ଅଫିସରେ ପହଞ୍ଚିବେ। ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଦଳୀୟ ସଦସ୍ୟତା ଅଭିଯାନ ନେଇ ମଧ୍ୟ ପରାମର୍ଶ ଦେବେ। ଏଥିସହ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ।
ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀ ନଡ୍ଡା ଏଜି ଛକଠାରେ ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ଦଳର ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ । ଏଥିରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଓ ସଂଗଠନକୁ ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ । ମଧ୍ୟାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ନେଇ ଆଲୋଚନା କରିବେ ଶ୍ରୀ ନଡ୍ଡା । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗତ ୨ ତାରିଖଠାରୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶାରେ ଏହାକୁ ବ୍ୟାପକ କରିବା ପାଇଁ ଶ୍ରୀ ନଡ୍ଡା ଭୁବନେଶ୍ୱର ଆସୁଛନ୍ତି ।