Site icon ଆଜିକାଲି

ଓଡ଼ିଶାର ଇଭି ପ୍ରକଳ୍ପରୁ ଓହରିନି ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌, ଖବରକୁ ଖଣ୍ଡନ କଲା କମ୍ପାନି

ଭୁବନେଶ୍ୱର : ଓଡ଼ିଶାର ଇଭି ପ୍ରକଳ୍ପରୁ ଓହରିନି ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ । ପ୍ରସ୍ତାବିତ ୪୦,୦୦୦ କୋଟିର ଇଲେକ୍ଟ୍ରିକ୍‌ ଯାନ(ଇଭି) ଏବଂ ବ୍ୟାଟେରି ପ୍ରକଳ୍ପ ମହାରାଷ୍ଟ୍ରକୁ ଚାଲିଯିବ ବୋଲି ଏକ ଖବରକୁ ଖଣ୍ଡନ କରିଛି କମ୍ପାନି । ମଙ୍ଗଳବାର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏହି ଖବରରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି ଏହା ସ୍ପଷ୍ଟ କରିଛି ।

ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର କର୍ପୋରେଟ୍‌ ଷ୍ଟ୍ରାଟେଜି ବିଭାଗ କାର୍ଯ୍ୟନିର୍ବାହୀ ଉପ-ସଭାପତି ରଞ୍ଜନ ନାୟକ କହିଛନ୍ତି ଯେ, ଆମେ ଓଡ଼ିଶା ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହୁଁ । ପ୍ରକାଶଯୋଗ୍ୟ, ରାଜ୍ୟରେ ୪୦,୦୦୦ କୋଟି ପୁଞ୍ଜି ନିବେଶରେ ଏକ ସମନ୍ୱିତ ଇଲେକ୍ଟ୍ରିକ୍‌ ଯାନ ଏବଂ ଇଭି ବ୍ୟାଟେରି ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବା ପାଇଁ ୨୦୨୪ ଫେବ୍ରୁଆରୀ ୧୦ରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

କଟକ ଜିଲ୍ଲାର ନରାଜରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଏକ ଇଭି ଏବଂ ଇ-ଯାନ ଯନ୍ତ୍ରାଂଶ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବା ପାଇଁ ଯୋଜନା କରିଥିଲା । ସେହିଭଳି ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଏକ କପର୍‌ ସ୍ମେଲ୍‌ଟର ଏବଂ ଲିଥିୟମ ରିଫାଇନାରୀ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ମହାରାଷ୍ଟ୍ରକୁ ପ୍ରକଳ୍ପ ସ୍ଥାନାନ୍ତର ହେବ ବୋଲି ପ୍ରସାର ହୋଇଥିବା ଖବରକୁ ନେଇ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ଯେ, ଇଭି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ସହ ଆଲୋଚନା କରୁଛନ୍ତି । ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ଫେବ୍ରୁଆରୀରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିବାବେଳେ ପ୍ରକଳ୍ପ ପାଇଁ ପୂର୍ବ ସରକାର ଜମି ଆବଣ୍ଟନ କରି ନ ଥିଲେ । ଏବେ ଆମେ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ କମ୍ପାନି ସହ କଥାବାର୍ତ୍ତା କରୁଛୁ । ତେବେ ପ୍ରକଳ୍ପରେ ବିଳମ୍ବ ହୋଇଥିବା ସେ ସୂଚନା ଦେଇଛନ୍ତି ।

Exit mobile version