Site icon ଆଜିକାଲି

ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ – ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଆଜି ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ପରିସରରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନୂତନ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ଜଷ୍ଟିସ ସିଂହ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଥିଲେ।

୧୯୬୩ ଜାନୁୟାରୀ ୨୦ ତାରିଖରେ ଜନ୍ମିତ ଜଷ୍ଟିସ ଶରଣ ସିଂହ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିବା ପରେ ୧୯୯୦ ଜାନୁଆରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ୨୦୧୨ ଏପ୍ରିଲ ୫ ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ଜଷ୍ଟିସ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଗ୍ରହଣ କରି ଗତ ୨ ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାନୁଆରୀ ୨୦୨୫ରେ ଅବସର ନେବେ ଜଷ୍ଟିସ ସିଂହ । ଜଷ୍ଟିସ ଶୁଭାଶିଷ ତଲାପତ୍ରଙ୍କ ଅବସର ପରେ ହାଇକୋର୍ଟର ନିୟମିତ ମୁଖ୍ୟ ବିଚାରପତି ପଦ ଖାଲି ପଡିଥିଲା । ଜଷ୍ଟିସ ତଲାପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା ।

Exit mobile version