Site icon ଆଜିକାଲି

ନୂଆଁଖାଇରେ ଚାଷୀଙ୍କୁ ମିଳିବ ‘କାଳିଆ’ ସହାୟତା ରାଶି

ଭୁବନେଶ୍ୱର : ପାର୍ବଣ ଋତୁରେ ରାଜ୍ୟର କୃଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉପହାର ଦେବାକୁ ଯାଉଛନ୍ତି। ନୂଆଁଖାଇରେ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ଦିଆଯାଇପାରେ। ପଶ୍ଚିମ ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କାର ସହାୟତା ବଣ୍ଟନ କରାଯିବ। ଏଥିପାଇଁ କୃଷି ବିଭାଗ ପ୍ରସ୍ତୁତି କରିଛି। ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ ‘କାଳିଆ’ ସହାୟତା ବାବଦକୁ ୧୮୭୪ କୋଟି ଟଙ୍କା ବଣ୍ଟା ହେବାକୁ ରହିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ରେ ‘କାଳିଆ’ ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଥିଲା। ଇତିମଧ୍ୟରେ ୭ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ସହାୟତା ରାଶି ବଣ୍ଟାଯାଇଛି। ଏବେ ଅଷ୍ଟମ ପର୍ଯ୍ୟାୟରେ ପ୍ରାୟ ୮୦୦ କୋଟି ଟଙ୍କା ବଣ୍ଟାଯିବାକୁ ପ୍ରକ୍ରିୟା ଚାଲିଛି।

କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ଯ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ‘କାଳିଆ’ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ମାଧ୍ୟମରେ ଚାଷୀମାନଙ୍କ ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୁହିକ ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା କୃଷି ଭିତ୍ତିକ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବ।

‘କାଳିଆ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ଯ ହେଉଛି, ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା। ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧିର ଉନ୍ନତିକରଣ ଦ୍ଵାରା କୃଷିର ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହେବ।

ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ୧୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ରାଶି ବିନିଯୋଗ କରାଯାଇଛି। ଏଥିରେ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର୍ଯରୁ ମୁକ୍ତ କରିବା ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ‘କାଳିଆ’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ସମସ୍ତ ଅଭାବଗ୍ରସ୍ତ ଭୂମିହୀନ ଚାଷୀ ମାନଙ୍କୁ ପରିସର ଭୁକ୍ତ କରିବା ପାଇଁ ବ୍ୟବସ୍ତା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଏହି ସମସ୍ତ ହିତାଧିକାରୀ ବ୍ଯାଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି।

Exit mobile version