Site icon ଆଜିକାଲି

ଶିଶୁ ଯତ୍ନ କେନ୍ଦ୍ର ଅନ୍ତେବାସିନୀଙ୍କ ବିବାହ କରାଇଲା କନ୍ଧମାଳ ପ୍ରଶାସନ

ଫୁଲବାଣୀ: ଜନ କଲ୍ୟାଣକାରୀ ପ୍ରଶାସନର ଆଭିମୁଖ୍ୟ ନେଇ କାର୍ଯ୍ୟ କରି ଆସୁଥିବା କନ୍ଧମାଳ ଜିଲ୍ଲା ପ୍ରଶାସନ ଏବେ ଆଉ ଏକ ଘଟଣାରେ ସେହି ଆଭିମୁଖ୍ୟ ପ୍ରତିଫଳିତ କରିଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ ସମିତି ମିଳିତ ସହଯୋଗରେ ଫୁଲବାଣୀ ଗୁଦାରିସ୍ଥିତ ସାଧନ ଶିଶୁ ଯତ୍ନ ଅନୁଷ୍ଠାନରେ ପାଳିତ ଅନ୍ତେବାସିନୀ ଆନାଲିସାଙ୍କ ବିବାହ ସମ୍ପନ୍ନ ହୋଇଛି। ରାଜସ୍ଥାନ ରାଜ୍ୟ ଜୟପୁର ଠାରେ ରିଲାଏନ୍ସ ଷ୍ଟୋରରେ ସହକାରୀ ପରିଚାଳକ ଭାବେ କାର୍ଯ୍ୟରତ ରବି ପରାଶର ସାଜିଛନ୍ତି ଆନାଲିସାଙ୍କ ଜୀବନସାଥି। ସାଧନ ଅନୁଷ୍ଠାନ ପରିସରରେ ହୋଇଥିବା ବିବାହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲ୍‌, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ରେଡକ୍ରସ ପାଣ୍ଠିରୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ବହୁ ବର୍ଷ ତଳେ ଅନାଥ ଶିଶୁ ଆନାଲିସାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆଣି ସାଧନ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରିଥିଲେ। ଏଠାରେ ରହିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ କେହି ମଧ୍ଯ ତାଙ୍କୁ ଦେଖିବାକୁ ସେଠାକୁ ଆସିନାହାନ୍ତି କିମ୍ବା ତାଙ୍କ ପରିଚୟ ମଧ୍ଯ ମିଳି ପାରିନାହିଁ। ସେଠାରେ ଲାଳିତ ପାଳିତ ହେବା ସହ ଆନାଲିସା ଯୁକ୍ତ ଦୁଇ ପାସ୍‌ ପରେ କେନ୍ଦ୍ରୀୟ ବିଦ୍ୟାଳୟରେ ଡାଟା ଏଣ୍ଟ୍ରି ତାଲିମ ମଧ୍ଯ ଗ୍ରହଣ କରିଛନ୍ତି। ଏଭଳି ସ୍ଥିତିରେ ତାଙ୍କର ବିବାହ ସମ୍ପନ୍ନ କରାଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ।

ଦିନେ ସେ ଥିଲା ଅଲୋଡ଼ା, ଜନ୍ମ କଲା ମାଆ ଛାତିରେ ପଥର ରଖି ତାକୁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଚାଲି ଯାଇଥିଲା। ପ୍ରଶାସନ ଦ୍ବାରା ଉଦ୍ଧାର ହୋଇ ସେ ଫୁଲବାଣୀର ସାଧନ ଅନାଥାଶ୍ରମରେ ପହଞ୍ଚିଥିଲା। ସେତେବେଳକୁ ତାର ବୟସ ମାତ୍ର ତିନି ମାସ। ହେଲେ ଶିଶୁ ଯତ୍ନ ଅନୁଷ୍ଠାନରେ ମାଆ ବାପା ଓ ପରିବାରର ସଦସ୍ୟ ତୁଲ୍ୟ ସ୍ନେହ ପାଇଥିଲା ସେ। ୨୨ ବର୍ଷର ଶିକ୍ଷିତା ଯୁବତୀ ହେବା ପରେ ଜୀବନର ପରବର୍ତ୍ତୀ ସୋପାନ ନିମନ୍ତେ ପ୍ରୟାସ ଆରମ୍ଭ କରିଥିଲା କନ୍ଧମାଳ ଜିଲ୍ଲା ପ୍ରଶାସନ। ସୁନ୍ଦର ଶିକ୍ଷିତ ବରଟିଏ ଖୋଜି ବିବାହ ପାଇଁ ସଜବାଜ ହେଉଥିବାବେଳେ ଆନାଲିସାଙ୍କ ହାତ ଧରିବାକୁ ଆଗେଇ ଆସିଥିଲେ ରବି ପରାଶର। ବିବାହ ବେଳେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ସବୁଠି ଥିଲା ଚଳଚଞ୍ଚଳ ପରିବେଶ। ସମସ୍ତଙ୍କ ମୁହଁରେ ସ୍ମିତହାସ୍ୟ ଭରି ରହିଥିଲା। ତେଣେ ଜୀବନର ଦୀର୍ଘ ୨୨ ବର୍ଷ ଏଠି କଟାଇଥିବା ଆନାଲିସା ଏବେ ନୂଆ ଜୀବନ ପାଇଛନ୍ତି। ଅନୁଷ୍ଠାନର ମୁଖ୍ୟ ଫାଦର୍ ପାଉଲ୍ ରାଜ୍ ଓ ଶିବା ମେଥ୍ୟୁ ବାପା ମାଆ ହୋଇ କନ୍ୟା ଦାନ କରିଥିଲେ। ଏଭଳି ପ୍ରୟାସ ନିମନ୍ତେ ମାଆ ଶିବା ଓ ବାପା ପାଉଲ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ରବି ମଧ୍ୟ କହିଛନ୍ତି ଯେ- ଏମିତି ହିଁ କାହାକୁ ଆପଣାଇବାରେ ରହିଛି ପ୍ରକୃତ ଆନନ୍ଦ ଓ ମଣିଷପଣିଆ। ମୋ ସ୍ଵପ୍ନ ସାକାର ହୋଇଛି।

Exit mobile version