Site icon ଆଜିକାଲି

ନୀଳାଦ୍ରି ବିହାରୀ ମିଶ୍ରଙ୍କ “ଜୁଆଙ୍ଗ ଜନଜୀବନ ଉଳଗ୍” ପୁସ୍ତକର ଶୁଭ ଉନ୍ମୋଚନ

କେନ୍ଦୁଝର, ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଭାଗୃହରେ ଆଦିବାସୀ ସଂସ୍କୃତି ଗବେଷକ ଓ ପ୍ରସିଦ୍ଧଲେଖକ ନୀଳାଦ୍ରି ବିହାରୀ ମିଶ୍ରଙ୍କ ଆଦିମ ଜନଜାତି ଜୁଆଙ୍ଗ ଜୀବନ ଜୀବିକାକୁ ନେଇ ରଚିତ ପୁସ୍ତକ ଜୁଆଙ୍ଗ “ଜନଜୀବନ ଉଳଗ୍” ଉନ୍ମୋଚିତ ହୋଇଛି। ଜଗନ୍ନାଥ ସଂସ୍କୃତି ଗବେଷକ ତଥା ସରସ୍ୱତୀ ଶିଶୁ ମନ୍ଦିର କେନ୍ଦୁଝରର ସଭାପତି ଡକ୍ଟର ସୁନିଲ କୁମାର ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ଏହି ପୁସ୍ତକକୁ ଲୋକାର୍ପଣ କରା ଯାଇଥିଲା ଆଦିବାସୀ ସଂସ୍କୃତି ଗବେଷକ, ଶିକ୍ଷାବିତ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଏହି ପୁସ୍ତକ ଉନ୍ମୋଚନ ସଭାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ କେନ୍ଦୁଝର କ୍ୟାମ୍ପସର ନିର୍ଦ୍ଦେଶକ ପ୍ରଫେସର ବବୃବାହନ ମହାପାତ୍ର ପୁସ୍ତକ ରଚନା ଓ ସମାଜରେ ଏହାର ପ୍ରଭାବ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଧରଣୀଧର ବିଶ୍ୱବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ତଥା ସୁନାମଧନ୍ୟ କବି ସୁଧାକର ଦାଶ ପୁସ୍ତକର ସମୀକ୍ଷା କରିଥିଲେ, ଓଡିଶା ସହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ କବି ପିନାକୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ହରିଚନ୍ଦନପୁର ବ୍ଲକର ଅପହଞ୍ଚ ଅଞ୍ଚଳ ମରାଗୁଡା ଗ୍ରାମର ବିଶିଷ୍ଟ ଜୁଆଙ୍ଗ କଳାକାର ପ୍ରମୋଦ କୁମାର ଜୁଆଙ୍ଗଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରା ଯାଇଥିଲା । ଆଦିମ ଅଧିବାସୀ ଜୁଆଙ୍ଗ ଜନଜାତିର ଶିଶୁଖେଳ, ବସ୍ତ୍ର ପରିଧାନ,ବାସଗୃହ, ପିଢ଼, ଗ୍ରାମ ମଢାଙ୍ଗ, ସମ୍ପ୍ରଦାୟର ପ୍ରଶାସନିକ ବ୍ୟବସ୍ଥା, ସଙ୍ଗଠିତ ଚଳଣି ପାଇଁ ନୀତିନିୟମ, କର୍ମକର୍ତ୍ତା ଚୟନ, ଗୁଣିଆ, ରାଉଳିଆ ଓ କାଳିସୀ, ଚେଙ୍କ,ଚିତାକୁଟା, ଲୋକ ବିଶ୍ୱାସ, ଲୋକ ସଂସ୍କୃତି, ଜୁଆଙ୍ଗଙ୍କ ଶୁଦ୍ଧିକ୍ରିୟା, ଜୁଆଙ୍ଗଙ୍କ ସାମାଜିକ ବିଚାର ବ୍ୟବସ୍ଥା ଓ ପାରମ୍ପରିକ ଶିକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏହି ପୁସ୍ତକ ଲେଖା ହୋଇଥିବା ପୁସ୍ତକର ଲେଖକ ନୀଳାଦ୍ରି ବିହାରୀ ମିଶ୍ର ପ୍ରକାଶ କରିଛନ୍ତି। ପୂର୍ବରୁ ଶ୍ରୀ ମିଶ୍ର ଜୁଆଙ୍ଗ ଜନଜାତିଙ୍କ ଉପରେ ଗବେଷଣା କରିବା ସହ ତାଙ୍କ ସମାଜରେ ଅଙ୍ଗାଅଙ୍ଗୀ ଭାବେ ଜଡିତ ହୋଇ “ଆଗ, ଜୁଆଙ୍ଗ ଶବ୍ଦକୋଷ, ଜୁଆଙ୍ଗ ବ୍ୟାକରଣ, ଜୁଆଙ୍ଗ ଲୋକନୃତ୍ୟ, ଲୋକଗୀତ, ଲୋକସାହିତ୍ୟ, ଲୋକ ସଂସ୍କୃତି, ପରି ୭ଟି ପୁସ୍ତକ ଲୋକାର୍ପିତ କରି ସାରିଛନ୍ତି। ସୁନାମଧନ୍ୟ ଆଦିବାସୀ ଜନଜାତି ଲେଖକ ଶ୍ରୀ ମିଶ୍ରଙ୍କ ଏହି ପୁସ୍ତକ ବିଭିନ୍ନ କ୍ଷେତ୍ରରେ ଆଦିବାସୀଙ୍କ ବିକାଶରେ ସହାୟକ ହେବ ବୋଲି ଲେଖକ ମହଲରେ ଚର୍ଚ୍ଚା ହେଉଛି। ଏହି ପୁସ୍ତକ ଉନ୍ମୋଚନ ପରେ ବିଭିନ୍ନ ମହଲରେ ଶ୍ରୀ ମିଶ୍ରଙ୍କୁ ପ୍ରଶଂସାର ସୁଅ ଛୁଟୁଛି।

Exit mobile version