Site icon ଆଜିକାଲି

ମା ବାପା ଛେଉଣ୍ଡ ଦୁଇ ପିଲାଙ୍କୁ ସହାୟତା ଯୋଗାଇ ଦେଲା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ

କେନ୍ଦୁଝର ,୨୧।୩: ଝୁମ୍ପୁରା ବ୍ଲକ ଜାଲି ପଞ୍ଚାୟତ କଟୁପଶି ଗ୍ରାମରେ ଟୁନା ବାଘୁଆଙ୍କ ପରିବାର ଦୁଇ ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ହସଖୁସିରେ ଚାଲିଥିବା ବେଳେ କିଛି ମାସ ପୂର୍ବରୁ ଟୁନାଙ୍କ ସହିତ ତାଙ୍କ ସ୍ତ୍ରୀ ଦୁହେଁ ରୋଗଗ୍ରସ୍ତ ହୋଇ ପଡିଲେ। ଘରେ ପଡ଼ି ପଡ଼ି ସ୍ତ୍ରୀ ପ୍ରଥମେ ମୃତ୍ୟୁ ବରଣ କରିଥିଲେ। ଦୁଇ କୁନି ଝିଅ ଯେଉଁମାନେ ଗାଁ ସ୍କୁଲରେ ପାଠ ପଢୁଥିଲେ ସେହିଦିନଠାରୁ ତାଙ୍କ ପାଠ ପଢାରେ ଡୋରି ବନ୍ଧା ହେଲା, ଦୁହେଁ ରୋଗଗ୍ରସ୍ତ ବାପାଙ୍କଠାରୁ କୌଣସି ପ୍ରକାର ସହଯୋଗ ନପାଇ ଶେଷରେ ଗାଁରେ ଗାଇ ବଳଦ ଛେଳି ଚରାଇ ଯେନତେନ ପ୍ରକାରେ ଘର ଚଳାଇ ଆସୁଥିଲେ। ହେଲେ ଭଗବାନ ପୁଣି ଦାଉ ସାଧିଲେ ହଠାତ୍ କିଛି ଦିନ ପୂର୍ବରୁ ବାପା ଟୁନା ବାଘୁଆ ମଧ୍ୟ ବିନା କୌଣସି ଚିକିତ୍ସା ରେ ଘରେ ପଡ଼ି ପଡ଼ି ମୃତ୍ୟୁ ବରଣ କଲେ । ଦୁଇ କୁନି ଝିଅଙ୍କ ମୁଣ୍ଡ ଉପରେ ବଜ୍ର ପଡ଼ିଗଲା, କ’ଣ କରିବେ ନକରିବେ କିଛି ବୁଝି ପାରୁ ନଥିଲେ,ନିଜର ବୋଲି ଆଉ କେହି ନାହାନ୍ତି। ବଡ଼ ଝିଅ ସବିତା ବାଘୁଆ ନବମ ଶ୍ରେଣୀରୁ ପାଠ ଛାଡ଼ି ଥିବା ବେଳେ ସାନ ଝିଅ ରେବତୀ ବାଘୁଆ ପଞ୍ଚମରୁ ପାଠ ଛାଡ଼ି ଏବେ ଘରେ ଅସହାୟ ଭାବେ ବାପାଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରିବାକୁ ଅସମର୍ଥ ଥିଲେ। ଏ ଖବର ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟର ସେହି ଅଞ୍ଚଳର ଯୁବ ସଦସ୍ୟ ଶଙ୍କର କାରୁଆ ଜାଣି ଟ୍ରଷ୍ଟକୁ ଜଣାଇଥିଲେ। ଆଉ ଏନେଇ ଆଜି ଟ୍ରଷ୍ଟ ପକ୍ଷରୁ ସମାଜସେବୀ ସଞ୍ଜୀବ କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ତାଙ୍କ ନିକଟରେ ପହଞ୍ଚି ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ଥିବା ସମସ୍ତ ରାସନ୍ ସାମଗ୍ରୀ, ଡ୍ରେସ୍ ପତ୍ର ଏବଂ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଲେ। ଆଗକୁ ତାଙ୍କ ପାଠ ପଢା କେମିତି ହେବ ସେନେଇ ମଧ୍ୟ ବ୍ଲକ ପ୍ରଶାସନ ନିକଟରେ ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ଦିଆଯିବ। ଆଜିର ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟର ଆବାହକ ଯୁଧିଷ୍ଠିର ମହାନ୍ତ , ପ୍ରମୁଖ ଉପଦେଷ୍ଟା ରବିନ୍ଦ୍ର ସିଂ ଫୌଜି, ଚମ୍ପୁଆ ପ୍ରମୁଖ ଡୋରା ମହାନ୍ତ, ଉଖୁଣ୍ଡା ଅଞ୍ଚଳର ସାମ୍ବାଦିକ ପୁଷ୍ପ କୁମାର ମହାନ୍ତ, ଟ୍ରଷ୍ଟର ପ୍ରମୁଖ ସଦସ୍ୟ ଲୋକନାଥ ରାଜପୁତ, ଯୋଗେଶ୍ୱର ମହାନ୍ତ, ବିନୋଦ ମହାନ୍ତ, ଶଙ୍କର କାରୁଆ,ସୁମନ କାରୁଆ, ବିନୋଦ ଗିରି,ହରିସ ମହାନ୍ତ, ହରିହର ମହାନ୍ତ,ସମିର ବାରିକ ପ୍ରମୁଖ ଉପସ୍ଥିତ ରହି ସେବାକାର୍ଯ୍ୟ କୁ ସମ୍ପାଦନ କରିଥିଲେ। ଏନେଇ ସ୍ଥାନୀୟ ଗ୍ରାମବାସୀ ଟ୍ରଷ୍ଟକୁ ଭୁୟସି ପ୍ରଶଂସା କରିଥିଲେ।

Exit mobile version