Site icon ଆଜିକାଲି

କେନ୍ଦୁଝର ଜିଲ୍ଲାର ନିର୍ବାଚନ ପରିଚାଳନା ସମ୍ବନ୍ଧରେ ସୂଚନା ଦେଲେ ଜିଲ୍ଲାପାଳ, ସି-ଭିଜିଲ ମାଧ୍ୟମରେ ପ୍ରାପ୍ତ ସମସ୍ତ ୩୭ ଗୋଟି ଅଭିଯୋଗର ହୋଇଛି ତ୍ୱରିତ ସମାଧାନ

କେନ୍ଦୁଝର, ଆଜି କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜିଲ୍ଲାର ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶାସନିକ ସ୍ତରରେ ଚାଲିଥିବା ପ୍ରସ୍ତୁତି ସମ୍ବନ୍ଧରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଭାରତ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁଯାୟୀ କେନ୍ଦୁଝର ଲୋକସଭା ଆସନ, ଜିଲ୍ଲାର ୬ ଗୋଟି ବିଧାନସଭା କ୍ଷେତ୍ର ଏବଂ ଏହି ସଂସଦୀୟ କ୍ଷେତ୍ରରେ ଅନ୍ତର୍ଭୁକ୍ତ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ମଣ୍ଡଳୀ ନିମନ୍ତେ ଏପ୍ରିଲ ୨୯ ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀ ମାନେ ନିଜର ନାମାଙ୍କନ ପତ୍ର ମଇ ୬ ପର୍ଯ୍ୟନ୍ତ ଦାଖଲ କରିପାରିବେ ଏବଂ ୯ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ପାରିବେ । ମଇ ୨୫ରେ ନିର୍ବାଚନ ଅନୁଷ୍ଠିତ ହୋଇ ୪ ତାରିଖରେ ଫଳାଫଳ ଘୋଷଣା ହେବ ।
ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲା ସ୍ତରରେ ପୋଲିସ, ଅବକାରୀ, ବନ ଓ ସିଟି ଓ ଜିଏସଟି ବିଭାଗର ଅଧିକାରୀଙ୍କୁ ନେଇ ବିଭିନ୍ନ ସ୍କ୍ୱାଡ ଗଠନ କରାଯାଇ ଖିଲାପକାରୀଙ୍କୁ ଧରିବା ଲାଗି ଜୋରସୋର ଧରପଗଡ଼ ଚାଲୁ ରହିଛି । ଇଭିଏମ ଓ ଭିଭିପାଟର ପ୍ରଥମ ରାଣ୍ଡମମାଇଜେସନ ଚଳିତ ମାସ ୮ ତାରିଖ ଦିନ ୧୧:୦୦ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ସମ୍ପାଦିତ କରାଯାଇ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ଅଧୀନ ଷ୍ଟ୍ରଙ୍ଗ ରୁମକୁ ପ୍ରେରଣ କରାଯିବ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ଉପଯୋଗର ମାଧ୍ୟମ ସାଜିଥିବା ସି-ଭିଜିଲ ଆପ୍ଲିକେସନ ମାଧ୍ୟମରେ ଏଯାବତ ୩୭ ଟି ଅଭିଯୋଗ ପ୍ରାପ୍ତ ହୋଇଛି ଯାହାର ଯଥାରୀତି ତ୍ୱରିତ ସମାଧାନ ମଧ୍ୟ କରାଯାଇଛି । ଜିଲ୍ଲାରେ ସର୍ବମୋଟ ୧୭୯ ଟି ଗମ୍ଭୀର /ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଷ୍ଟ୍ରଙ୍ଗ ରୁମ ପୁର୍ଣ କାର୍ଯ୍ୟକ୍ଷମ ରହିଛି ।
ଜିଲ୍ଲାରେ ନିର୍ବାଚନର ସୁପରିଚାଳନା ନିମନ୍ତେ ବିଭିନ୍ନ କକ୍ଷ ଯଥା ସୁବିଧା ସେଲ, ଜିଲ୍ଲା ଯୋଗାଯୋଗ କେନ୍ଦ୍ର, ଆଦର୍ଶ ଆଚରଣ ବିଧି କକ୍ଷ, ମିଡ଼ିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି ଓ ସମନ୍ବିତ ପରିଚାଳନା ଗୃହ ଇତ୍ୟାଦି କାର୍ଯ୍ୟ କରୁଛି । ଯେଉଁ ଭୋଟରଙ୍କ ପାଖରେ ନିଜର ଭୋଟ ପରିଚୟପତ୍ର ନାହିଁ ସେମାନେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁମୋଦିତ ଆଧାର, ପ୍ୟାନ, ଡ୍ରାଇଭିଂ ଲାଇସେନ୍ସ ଆଦି ଭଳି ମୋଟ ୧୨ ଗୋଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ଦେଖାଇ ଭୋଟ ଦେଇ ପାରିବେ । ଭୋଟର ମାନଙ୍କ ମଧ୍ୟରେ ମତାଧିକାର ସାବ୍ୟସ୍ତ କରିବା ଲାଗି ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ବାବଦରେ ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଥିଲେ । ଆହୁରି ମଧ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଭୋଟର, ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଥିଲେ ।
ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିବା ଏହି ଗଣମାଧ୍ୟମ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଲକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ ) ଶ୍ରୀ ବିକାଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।

Exit mobile version