Site icon ଆଜିକାଲି

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା, ଚକ୍ରରାଜ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ସହିତ ଦ୍ୟୁତକ୍ରୀଡା ଉତ୍ସବ ପାଳିତ

ପୁରୀ: ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଇଥିଲା। ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚାରି ଆଶ୍ରମ ବିଜେ ହୋଇଥିଲେ।ଏଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି ସରିବା ପରେ ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

କୁମାର ପୂର୍ଣ୍ଣିମା ଶ୍ରୀମନ୍ଦିରର ଏକ ବିଶେଷ ପର୍ବ । ଏହି ଦିନ ସଂଧ୍ୟା ଧୂପ ପରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରତ୍ନବେଦୀୟ ଲକ୍ଷ୍ମୀ ପ୍ରତିମା (ଶ୍ରୀଦେବୀ) ପାଲିଙ୍କିରେ ଯାଇ ଲକ୍ଷ୍ମୀମନ୍ଦିର ର ଜଗମୋହନରେ ବିଜେ ହୋଇଥିଲେ । ଏଠାରେ ପ୍ରତିନିଧି ଭାବେ ମୁଦିରସ୍ତ ସେବକ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ରଙ୍କ ମଧ୍ୟରେ କଉଡ଼ି ଓ ପଶାଖେଳ ହୋଇଥିଲା । ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତକ୍ରୀଡା ଉତ୍ସବ ନାମରେ ଅଭିହିତ ।ମହାପ୍ରଭୁଙ୍କ ତରଫରୁ ପ୍ରତିନିଧ ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଛୁ ମହାପାତ୍ର ୨୧ଟିହିଙ୍ଗୁଳ କଉଡ଼ି, ୨୧ଟିରୂପା କଉଡି, ପଶା ଶକଟା ଖେଳମାନ ଖେଳି ଥିଲେ । ଏହାପରେ ଦୁଇ ଦିଅଁଙ୍କୁ ଶୀତଳ ମଣୋହି କରାଯିବା ପରେ ବାହୁଡ଼ା ବିଜେ ହୋଇଥିଲା । ଚନ୍ଦନଲାଗି ଓ ବଡ଼ସିଂହାର ବେଶ ବଢିବା ପରେ ଠାକୁରମାନଙ୍କୁ ନୂଆ ଲୁଗା (ପତନି) ଲାଗି କରାଯାଇଥିଲା । ବଡ଼ସିଂହାର ଧୂପ ପରେ ପୁନର୍ବାର ରତ୍ନ ସିଂହାସନ ତଳେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଜୁଆ, ପଶା ଓ କଉଡ଼ି ଖେଳିଥିଲେ। ପରେ ସିଂହାସନ ଉପରେ ଖେଳ ହୋଇଥିଲା । ଏହି ଖେଳ ରେ ଲକ୍ଷ୍ମୀଙ୍କ ପାଖରେ ଶ୍ରୀଜଗନ୍ନାଥ ମହାପ୍ରଭୁ ହାରି ଯିବାରୁ ମାଧବ ମହାଜନଙ୍କ ହାତରେ ବିଜେ ହୋଇ ଲକ୍ଷ୍ମୀଙ୍କ ମନ୍ଦିରରେ ସାତଦିନ ବନ୍ଧା ରହିଛନ୍ତି । ଅଷ୍ଟମ ଦିନ ଅବକଶ ପୂଜା ପରେ ମାଧବ ବନ୍ଧନ ମୁକ୍ତ ହୋଇ ରୁନ୍ଧାରୁ ଫିଟି ରତ୍ନ ସିଂହାସନକୁ ଫେରି ଆସିବେ ।

ସାଧାରଣ ମାନବ ପରି ପ୍ରଭୁ ଜଗନ୍ନାଥ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଠାକୁରାଣୀ କୁମାରପୂର୍ଣ୍ଣିମାରେ ନୂଆଲୁଗା ପିନ୍ଧନ୍ତି ଓ ଖେଳନ୍ତି । ⁠ଦଶହରା ବାସି ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧା-ଦାମୋଦର ବେଶ ଅନୁଷ୍ଠିତ ହୁଏ।ପଞ୍ଚକ ଏକାଦଶୀଠାରୁ କାର୍ତ୍ତିକପୂର୍ଣ୍ଣିମା ଯାଏଁ ଯଥାକ୍ରମେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ,ବାଙ୍କଚୂଡ଼ ବା ବାମନ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀ ନୃସିଂହ ବେଶ ଏବଂ ରାଜବେଶ ରେ ଶ୍ରୀଜୀଉ ଭକ୍ତଂକୁ ଦର୍ଶନ ଦେବେ ।

Exit mobile version