Site icon ଆଜିକାଲି

ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଲେ ସମ୍ବଲପୁରର ଆଇନଜୀବୀ

ସମ୍ବଲପୁର : ଦୂର ହେଲା ଅଚଳାବସ୍ଥା । ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଲେ ସମ୍ବଲପୁରର ଆଇନଜୀବୀ । ସମ୍ବଲପୁରର କୋର୍ଟ କଚେରିରେ ଗତ ଡିସେମ୍ବର ୭ ତାରିଖରୁ ଲାଗି ରହିଥିବା ଅଚଳାବସ୍ଥା ଦୀର୍ଘ ୨୭ ଦିନ ପରେ ସ୍ବାଭାବିକ ହୋଇଛି। ଗତ ସୋମବାର କିଛି ଓକିଲ କାର୍ଯ୍ୟକୁ ଫେରିଥିବା ବେଳେ ମଙ୍ଗଳବାର ଅବଶିଷ୍ଟ ସମସ୍ତ ଓକିଲ କୋର୍ଟକୁ ଫେରିଛନ୍ତି। କୋର୍ଟ କାମ ପୁଣିଥରେ ଆରମ୍ଭ ହୋଇଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

ସୂଚନା ଯେ, ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁରରେ ଓକିଲଙ୍କ ସତ୍ୟାଗ୍ରହ ବେଳେ ଗଣ୍ଡଗୋଳ ହିଂସାର ରୂପ ନେଇଥିଲା। ଏପରିକି ବିଚାରପତିଙ୍କ ପ୍ରକୋଷ୍ଠରେ ଭଂଗାରୁଜା ଯାଏ କଥା ଯାଇଥିଲା। ଏଥିରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ଯ ଗ୍ରହଣ କରି ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ ସହ ସମସ୍ତ ଓକିଲଙ୍କ ଲାଇସେନ୍ସ ନିଲମ୍ବନ ଆଦେଶ ଦେଇଥିଲେ। ଫଳରେ ୩୦ ଓକିଲଙ୍କ ସମେତ ଆନ୍ଦୋଳନକାରୀ ମିଶି ମୋଟ ୩୯ ଜଣ ଗିରଫ ହୋଇ ଜେଲରେ ଅଛନ୍ତି। ସେମାନଙ୍କ ଜାମିନ ଜିଲା କୋର୍ଟରେ ଖାରଜ ହୋଇସାରିଛି। ଏଭଳି ସ୍ଥିତିରେ ୫୬ ଜଣ ଓକିଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ଓକିଲଙ୍କ ଲାଇସେନ୍ସ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇସାରିଥିଲେ ହେଁ ଗତକାଲି ସୁଦ୍ଧା କେହି କୋର୍ଟକୁ ଫେରିନଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ଓକିଲ ନିସର୍ତ୍ତରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ୩ ଦିନ ତଳେ ସିଏସି ନିଷ୍ପତ୍ତି ନେଇଥିଲା। ଆଉ ଏହି ଆଧାରରେ ଗତକାଲି କିଛି ଓକିଲ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆଜି ଅବଶିଷ୍ଟ ସମସ୍ତ ଓକିଲ କୋର୍ଟକୁ ଫେରି ନିଜ ନିଜ ମହକିଲଙ୍କ ପାଇଁ ଜାମିନ ଆବେଦନ ତଥା ଅନ୍ୟ ମାମଲା ପରିଚାଳନା କରିଛନ୍ତି। ସେପଟେ ଗତ ମଙ୍ଗଳବାରରୁ ୧୪୪ ଧାରା ବି ଉଠିସାରିଛି। ତେବେ, ଗିରଫ ଓକିଲଙ୍କ ଜାମିନ ସହ ଲାଇସେନ୍ସ ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗରେ ସିଏସିର ଏକ ପ୍ରତିନିଧି ଦଳ ଖୁବଶୀଘ୍ର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିବାକୁ ଯୋଜନା କରିଛି।

Exit mobile version