Site icon ଆଜିକାଲି

ଓଡ଼ିଶାରେ ତିନିଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର – ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବାକୁ ଦାବି କରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପୁରୀ-ହାୱଡ଼ା, ସମ୍ବଲପୁର ଦେଇ ପୁରୀ-ରାଉରକେଲା ଓ ଭୁବନେଶ୍ବର-ହାଇଦ୍ରାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଇବାକୁ ଦାବି କରିଛନ୍ତି । ବିଭାଗୀୟ ମନ୍ତ୍ରୀ ଲେଖିଛନ୍ତି ଯେ, ଭାରତର ବିକାଶ ଇଞ୍ଜିନରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେଇଛି ଓଡ଼ିଶା । ଓଡ଼ିଶା ଦେଶର ପୂର୍ବ ପ୍ରବେଶ ଦ୍ବାର ଭାବେ ଉଭା ହୋଇଛି । ଦୁଇ ଦଶନ୍ଧି ଧରି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହ ଉଚ୍ଚତମ ନିବେଶକୁ ଆକର୍ଷିତ କରିଛି ରାଜ୍ୟ । ବାରମ୍ବାର ରାଜ୍ୟରେ ରେଳ ନେଟୱର୍କର ସଂପ୍ରସାରଣ ନେଇ ଦାବି କରାଯାଉଛି । ଏହାଦ୍ବାରା ଦେଶର ଅର୍ଥନୀତିକୁ ଓଡ଼ିଶା ଅଧିକ ଯୋଗଦାନ କରିପାରିବ । କିନ୍ତୁ କେନ୍ଦ୍ର ଏଥିପ୍ରତି ଗୁରୁତ୍ବ ଦେଇନାହିଁ । ତେବେ କେନ୍ଦ୍ର ସରକାର ଓଡ଼ିଶାକୁ ବାଦ୍ ଦେଇ ଅନ୍ୟ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ରେଳ ଯୋଗାଯୋଗର ବ୍ୟବସ୍ଥାର ଉନ୍ନତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ୩ଟି ରୁଟ୍‌ରେ ଏହି ସୁପରଫାଷ୍ଟ ଏକ୍ସପ୍ରେସ ଚଳାଇବାକୁ ଦାବି କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ଓଡ଼ିଶାବାସୀଙ୍କ ଆକାଂକ୍ଷା ପୂରଣ କରିବାକୁ ଏବଂ ରାଜ୍ୟବାସୀଙ୍କୁ ଦ୍ରୁତ ଯୋଗାଯୋଗର ବିକଳ୍ପ ଦେବାକୁ ପୁରୀରୁ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ଦାବି କରିଛନ୍ତି ।

ପଶ୍ଚିମ ଓଡ଼ିଶାକୁ ଖୁବ୍ କମ୍ ଦ୍ରୁତଗାମୀ ଟ୍ରେନ୍ ଯାତାୟତ କରୁଛି । ତେଣୁ ପୁରୀ-ରାଉରକେଲା ଭାୟା ସମ୍ବଲପୁର ବନ୍ଦେ ଭାରତ ଏକ୍ସପ୍ରେସ୍ ପାଇଁ ଦାବି କରିଛନ୍ତି । ଯାହା ରାଜ୍ୟର ରାଜଧାନୀକୁ ପଶ୍ଚିମ ଓଡ଼ିଶାର ଅଧିକଂଶ ଜିଲ୍ଲା ସହ ଯୋଡିପାରିବ । ଏହାଦ୍ବାରା ରାଜ୍ୟ ଭିତରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବା ସହ ଭୁବନେଶ୍ବର ବିମାନବନ୍ଦର ସହ ଝାରସୁଗୁଡ଼ା, ରାଉରକେଲା ବିମାନବନ୍ଦର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ହେବ । ଓଡ଼ିଶାର ବହୁ ଲୋକ ହାଇଦ୍ରାବାଦରେ ରହୁଛନ୍ତି । ତେଣୁ ଭୁବନେଶ୍ବରରୁ ହାଇଦ୍ରାବାଦକୁ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବାକୁ ଦାବି କରିଛନ୍ତି । ଏହି ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଯାତ୍ରୀଙ୍କୁ ଶୀଘ୍ର ଓ ଦ୍ରୁତଗାମୀ ଟ୍ରେନ୍ ଯାତ୍ରାର ସୁବିଧା ମିଳିବ ବୋଲି ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Exit mobile version