Site icon ଆଜିକାଲି

ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ସହାୟତା ଯୋଗାଇ ଦେଲା ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ

କେନ୍ଦୁଝର, ସଦର ବ୍ଲକ ମହାଦେଈଯୋଡା ପଞ୍ଚାୟତ ଅନ୍ତର୍ଗତ ମହାନ୍ତ ସାହିର ବିକ୍ରମ ମୁଣ୍ଡା (୩୦ ବର୍ଷ)ଟିବି ରୋଗରେ ଆକ୍ରାନ୍ତ ହୋଇ ଅନେକ ଦିନ ହେଲା ଘରେ ପଡ଼ି ରହିଥିଲେ । ଏଭଳି ସ୍ଥିତିରେ ସ୍ତ୍ରୀ ଗୁରୁବାରୀ ମୁଣ୍ଡା କୁଲି ମଜୁରି କରି ଦୁଇ ପିଲାଙ୍କୁ ଯେନତେନ ପ୍ରକାରେ ପ୍ରତିପୋଷଣ କରି ଆସୁଥିବା ବେଳେ ଏଇ କିଛି ଦିନ ପୂର୍ବରୁ ବିକ୍ରମ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ଆସନ୍ତା କାଲି ତାଙ୍କର ଶୁଦ୍ଧିକ୍ରିୟା ଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁବାରୀ ଲାଇଫ ସେଭର୍ସ ଗୃପ ଟ୍ରଷ୍ଟ କୁ ସହାୟତା ପାଇଁ ଅନୁରୋଧ କରିଥିଲେ । ଏନେଇ ଟ୍ରଷ୍ଟ ପକ୍ଷରୁ ବିଚାର ବିମର୍ଶ ପରେ ଆଜି ବିଶିଷ୍ଟ ସମାଜସେବୀ ସଞ୍ଜୀବ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ଥିବା ସମସ୍ତ ପ୍ରକାର ରାସନ୍ ସାମଗ୍ରୀ ସହିତ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି । ଏଯାବତ୍ ଟ୍ରଷ୍ଟ ପକ୍ଷରୁ ପାଖାପାଖି ପଚାଶରୁ ଅଧିକ ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ସହାୟତା ଯୋଗାଇ ଦେଇ ସମଗ୍ର ଜିଲ୍ଲାରେ ଏକ ନୂଆ ପରିଚୟ ସୃଷ୍ଟି କରି ପାରିଛି । ଆଜିର ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଅନେକ ସଦସ୍ୟ ସବୁଥର ଭଳି କିଛି କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଟ୍ରଷ୍ଟ ର ଆବାହକ ଯୁଧିଷ୍ଠିର ମହାନ୍ତ, ବିଜୟ ଖୁଣ୍ଟିଆ, ଶ୍ରୀକାନ୍ତ ସରକାର, ପପୁ ମହାନ୍ତ, ବିଭୁପ୍ରସାଦ ମହାନ୍ତ, ରଜତ ବେହେରା, ଦୀପକ୍ ସୟ ପ୍ରମୁଖ ଉପସ୍ଥିତ ରହି ସମ୍ପାଦନ କରିଥିଲେ । ଏନେଇ ଉକ୍ତ ପରିବାର ପକ୍ଷରୁ ଟ୍ରଷ୍ଟକୁ ଧନ୍ୟବାଦ ଅର୍ପଣ କରିବା ସହିତ ସାଧୁବାଦ ଜଣାଇଥିଲେ ।

Exit mobile version