Site icon ଆଜିକାଲି

ମଦ ଦୁର୍ନୀତି ମାମଲା: ଆଜି ସିବିଆଇରେ ହାଜର ହେବେ ସିସୋଦିଆ

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ସିବିଆଇରେ ହାଜର ହେବେ । ଆମ୍ ଆଦମୀ ପାର୍ଟି (ଆପ୍) କହିଛି ଯେ ସିସୋଦିଆ ତଦନ୍ତରେ ଯୋଗ ଦେବେ ଏବଂ ଏଥିରେ ପୂରା ସହଯୋଗ କରିବେ।

ଏକ ଟୁଇଟ୍‌ରେ ଦଳ କହିଛି ଯେ ୮-୧୦ ବର୍ଷ ମଧ୍ୟରେ ସେମାନେ ଆପ୍ ନେତାମାନଙ୍କ ବିରୋଧରେ ୧୫୦-୨୦୦ ମାମଲା ଦାୟର କରିଛନ୍ତି, କିନ୍ତୁ ଗୋଟିଏ ମାମଲାରେ ବି ଟଙ୍କାଟିଏ ଦୁର୍ନୀତିର ପ୍ରମାଣିତ କରିପାରି ନାହାନ୍ତି, କାରଣ ଆପ୍ ଏକ ‘ଅତି ସଚ୍ଚୋଟ ଦଳ’ ।”

ଅନ୍ୟପକ୍ଷରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିପାରେ ବୋଲି ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଶଙ୍କା ପ୍ରକାଶ କରିଛନ୍ତି ‌। ସିସୋଦିଆଙ୍କୁ ପ୍ରଥମେ ଫେବୃଆରୀ ୧୯ ରେ ହାଜର ହେବା ପାଇଁ ସିବିଆଇ ସମନ ଜାରି କରିଥିଲା । କିନ୍ତୁ ସେ ଦିଲ୍ଲୀର ବଜେଟ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଥିବା ଦର୍ଶାଇ ସିସୋଦିଆ ଏକ ସପ୍ତାହ ସମୟ ମାଗିଥିଲେ । ସିସୋଦିଆ ଦିଲ୍ଲୀ ସରକାରରେ ଅର୍ଥ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି । ମଦ ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ୧୭ରେ ମଧ୍ୟ ସିସୋଦିଆଙ୍କୁ ଜେରା କରାଯାଇଥିଲା। ଏହି ମାମଲାରେ ସିବିଆଇ ମନୀଷ ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ଅଗଷ୍ଟ ୧୯ରେ ମାମଲା ରୁଜୁ କରିଥିଲା। ଏଥିରେ ତତ୍କାଳୀନ ଅବକାରୀ କମିଶନରଙ୍କ ସମେତ ତିନିଜଣ ଅଧିକାରୀ, ଦୁଇ କମ୍ପାନୀ ଏବଂ ନଅ ଜଣ ବ୍ୟବସାୟୀ ସାମିଲ ରହିଥିଲେ।

ତଦନ୍ତ ଏଜେନ୍ସି ଅଭିଯୋଗ କରିଛି ଯେ ନୂଆ ମଦ ନୀତି ଲାଗୁ ହେବା ପରେ ରାଜକୋଷକୁ କ୍ଷତି ହୋଇଛି। ଏହାଛଡ଼ା ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କୁ ଅଯଥା ଅନୁକମ୍ପା ଦେବା ଉଦ୍ଦେଶ୍ୟରେ ଅଭିଯୁକ୍ତ ନୂଆ ମଦ ନୀତିରେ ମନମୁଖି ପରିବର୍ତ୍ତନ କରିଥିଲେ।

ସିବିଆଇ ଏଫଆଇଆର କହିଛି ଯେ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ବଡି ରିଟେଲ ପିଭି ଲିମିଟେଡର ଅମିତ ଅରୋରା, ଦୀନେଶ ଅରୋରା ଏବଂ ଅର୍ଜୁନ ପାଣ୍ଡେ ଲାଇସେନ୍ସଧାରୀଙ୍କଠାରୁ ଟଙ୍କା ନେଇ ଅଭିଯୁକ୍ତ ତଥା ସରକାରୀ କର୍ମଚାରୀଙ୍କ ନିକଟକୁ ପଠାଉଥିଲେ।

Exit mobile version