Site icon ଆଜିକାଲି

ରାଜ୍ୟରେ କମିଛି ଶୀତ ପ୍ରଭାବ, ଆଜିଠୁ କୁହୁଡ଼ି

ଭୁବନେଶ୍ବର : ରାଜ୍ୟରେ ଶୀତ ପ୍ରଭାବ କମିଛି । ମାତ୍ର ସକାଳୁ ସକାଳୁ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ଆକାଶ ମେଘମୁକ୍ତ ଥିବା ବେଳେ ଶୀତ ଯୋଗୁ କୁହୁଡି ବି ଦିନ ୧୦ଟା ଯାଏ ଲାଗିରହୁଛି । ଏଥିସହ ଆସନ୍ତା ୩ ତାରିଖରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ଓ ଶୀତ ଲହରି ପ୍ରବାହିତ ହେବ। ଡିସେମ୍ବର ୩ରୁ ୬ ଭିତରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ଏହି ସମୟରେ ଭାରୀ ଶୀତ ଅନୁଭୂତ ହୋଇପାରେ ବୋଲି ଡ.ପଶୁପାଳକ କହିଛନ୍ତି ।

କୋରାପୁଟ ଜିଲା ସେମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରି ଥିଲା। ୨ ଡିଗ୍ରି ବୃଦ୍ଧିପାଇ ଗତକାଲି ରାତିରେ ଏହା ୭.୪ ଡିଗ୍ରି ରହିଥିଲା। କନ୍ଧମାଳ ଜିଲାର ଆଉ ୩ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ସେଗୁଡ଼ିକ ହେଲା, ଜି. ଉଦୟଗିରି, ଫୁଲବାଣୀ ଓ ଦାରିଙ୍ଗବାଡ଼ି। ଜି. ଉଦୟଗିରିର ତାପମାତ୍ରା ୯ଡିଗ୍ରି ରହିଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ି ତାପମାତ୍ରା ୯.୫ ରହିଥିଲା। ଏଥିସହ ରାଜ୍ୟର ଆଉ ୪ ସହରର ତାପମାତ୍ରା ୧୦ ଡିଗ୍ରି ବା ଏହାର ପାଖାପାଖି ରହିଛି। ସେହିପରି ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲା କିରେଇରେ ରାତି ତାପମାତ୍ରା ୧୦ ଡିଗ୍ରି ରହିଥିଲା। କୋରାପୁଟରେ ୧୦.୨ ଡିଗ୍ରି ଓ ବୌଦ୍ଧରେ ୧୦.୫ ଡିଗ୍ରି ପାରଦ ସ୍ତର ରହିଥିବା ଜଣାପଡ଼ିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାରଦସ୍ତରରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଡିସେମ୍ବର ୩ରୁ ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଆରମ୍ଭ ହୋଇଯିବ।

Exit mobile version