Site icon ଆଜିକାଲି

ବ୍ୟବସାୟ ଓ ନିଜସ୍ୱ ଭରଣପୋଷଣ ପାଇଁ ଏସଏଚଜି ସଦସ୍ୟାଙ୍କୁ ଦିଆଯାଉଛି ଋଣ

ଭୁବନେଶ୍ବର : ୨୦୨୩-୨୪ ବର୍ଷ ପାଇଁ ମିଶନ ଶକ୍ତି ବିଭାଗକୁ ୨ ହଜାର ୫୫୪ କୋଟିରୁ ଅଧିକ ଅର୍ଥ ବରାଦ ହୋଇଛି। ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ହୋଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ସଚିବ ସୁଜାତା କାର୍ତ୍ତିକେୟନ ।

ଏସଏଚଜିଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଥିବା ସେ କହିଛନ୍ତି । ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହିଳାମାନେ ମହାଜନ ପାଖକୁ ଯାଉଥିଲେ । ୬୦ ରୁ ୭୦ ପ୍ରତିଶତ ସୁଧ ଦେଉଥିଲେ । ଏବେ ଏସଏଚଜି ଗ୍ରୁପ ଦ୍ଵାରା ସେମାନେ ଋଣ ପାଇପାରିଛନ୍ତି ।

ଏ ବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା। ସମସ୍ତ ୫ଟି ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ରକ୍ଷଣାବେକ୍ଷଣ କରିବେ ଏସ ଏଚଜି ସଦସ୍ୟା । ରାଜ୍ୟ ସରକାର ଏସଏଚଜି ମହିଳାଙ୍କୁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଯୋଗାଇବେ ।

ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଡ୍ରାଇଭିଂ ଟ୍ରେନିଂ ଦିଆଯିବ। ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଗୁରୁତ୍ବ ଦିଆଯିବ। ଏସ ଚଜି ମହିଳାଙ୍କୁ ଫେସନ୍, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ ଦିଆଯିବ। ଓୟୁଏଟି ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ ବୋଲି ସଚିବ ସୂଚନା ଦେଇଛନ୍ତି।

ମିଶନ ଶକ୍ତି ସଚିବ କହିଛନ୍ତି ଯେ, ମାଆମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚାହାଁନ୍ତି । ମାଆମାନେ ଅଧିକ ସଶକ୍ତ ହେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ୧୫୦କୋଟି ବ୍ୟୟ ବରାଦ ହୋଇଛି। ସବୁ ଏସଏଚଜିଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହାଛଡ଼ା ୫ଶହ ମିଶନ ଶକ୍ତି କାଫେ ଓ ବଜାର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ମିଶନଶକ୍ତି ମାଆ ମାନେ ସେମାନଙ୍କ ଉତ୍ପାଦ ସହଜରେ ବିକ୍ରି କରିପାରିବେ।

Exit mobile version