Site icon ଆଜିକାଲି

ରାଜ୍ୟରେ ଲଘୁଚାପ ସକ୍ରିୟ: ଆଜି ୫ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ସକ୍ରିୟ । ବର୍ଷା ପ୍ରକୋପ ଆଉ ଦିନଟିଏ ରହିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ରହିପାରେ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଶନିବାର ଠାରୁ ବର୍ଷା ପ୍ରକୋପ କମିବ । ରବିବାର ଠାରୁ କାଁ ଭାଁ ବର୍ଷା ହୋଇପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନା ଯେ, ଗତ ବୁଧବାର ଘୂର୍ଣ୍ଣିବଳୟ ଛତିଶଗଡ଼ ଓ ଆଖାପାଖ ଅଞ୍ଚଳ ଉପରେ ଥିଲା । ଏହା ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ବହୁ ସ୍ଥାନରେ ଲଗାଣ ବର୍ଷା ହୋଇଛି । ବୁଧବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ଭିତରେ ତାଳଚେରରେ ୧୫୫ ମିଲିମିଟର ବର୍ଷା ଢାଳିଛି । କେନ୍ଦୁଝରରେ ୮୪.୪ ମିମି, ଅନୁଗୁଳରେ ୬୦, ଭଦ୍ରକରେ ୪୨.୨, ପାରାଦୀପରେ ୩୧.୩, ବାରିପଦାରେ ୩୦.୨, ଢେଙ୍କାନାଳରେ ୨୭.୪, ରାଉରକେଲାରେ ୨୬.୪ ମିମି ବର୍ଷା ରେକର୍ଡ ହୋଇଛି । ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ୨ ଦିନ ପାଗ ଆଂଶିକ ମେଘୁଆ ରହିବ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ମାତ୍ର ଶୁକ୍ରବାରଠାରୁ ବର୍ଷା ପରିମାଣ କ୍ରମଶଃ କମିବ । ପରେ ବେଳେବେଳେ ପାଗ ଖରାଟିଆ ସହ କିଛି ବର୍ଷା ହୋଇପାରେ ।

Exit mobile version