Site icon ଆଜିକାଲି

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ୫ ଜିଲ୍ଲାକୁ ରେଡ ଆଲର୍ଟ ଜାରି  

ଭୁବନେଶ୍ୱର :ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପୁରୀଠାରୁ ୧୧୦ କିମି ଦୂର କେନ୍ଦ୍ରୀଭୂତ ହୋଇଛି। ଆଜି ମଧ୍ୟାହ୍ନ ସମୟରେ ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ସୋମବାର ଓ ମଙ୍ଗଳବାର ଦୁଇ ଦିନ  ରାଜ୍ୟରେ ଏହାର ପ୍ରଭାବ ଅଧିକ ରହିବ  ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ସୋମବାର ପୁରୀ, ଜଗତସିଂହପୁର, ଖୋର୍ଦ୍ଧା,  କଟକ ଓ ଢେଙ୍କାନାଳରେ ଭୀଷଣ ବର୍ଷା  ହୋଇପାରେ । ଏହି ୫ ଜିଲ୍ଲାରେ ୭୦ରୁ ୨୦୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ।  ଗଞ୍ଜାମ, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୋନପୁର,  ଯାଜପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଅନୁଗୁଳ  ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ  ୱାର୍ଣ୍ଣିଂ ଦିଆଯାଇଛି । 

ଭୀଷଣ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ  ଭୂସ୍ଖଳନ ଆଶଙ୍କା ରହିଛି । କଚ୍ଚା ରାସ୍ତା ଓ ଘର  କ୍ଷତିଗ୍ରସ୍ତ ହୋଇପାରେ । ଗାଁ ଓ ସହରର ତଳିଆ  ଅଞ୍ଚଳରେ ପାଣି ଜମିବ । ନର୍ସରୀ ବେଡ୍‌, ଧାନ  କ୍ଷେତରେ ପାଣି ଜମିବା ଆଶଙ୍କା ଅଛି । ଏଥିପାଇଁ  ଜଳ ନିଷ୍କାସନ ବ୍ୟବସ୍ଥା ରଖିବାକୁ ପାଣିପାଗ ବିଭାଗ  ପକ୍ଷରୁ ପରାମର୍ଶ ଦିଆଯାଇଛି । ମତ୍ସଜୀବିମାନେ  ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଇଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) । ସଂପୃକ୍ତ  ଜିଲ୍ଲା ପ୍ରଶାସନ ବର୍ଷା ପାଇଁ ପ୍ରସ୍ତୁତ ରହିବାକୁ  କୁହାଯାଇଛି । ସହରାଞ୍ଚଳରେ ଡ୍ରେନ୍‌ ସଫା ରଖିବା  ସହ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ପଦକ୍ଷେପ  ନେବାକୁ କୁହାଯାଇଛି । ତଳିଆ ଅଞ୍ଚଳରେ ପାଣି  ଜମିବା ଆଶଙ୍କା ଥିବାରୁ ଏଥିପାଇଁ ପମ୍ପ ରଖିବାକୁ  କୁହାଯାଇଛି । ବର୍ଷା ସହିତ ଘଡ଼ଘଡ଼ି ଆଶଙ୍କା ଥିବାରୁ  ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । 

ମଙ୍ଗଳବାର ବି ନିର୍ଧୁମ ବର୍ଷିବ । ସୁନ୍ଦରଗଡ଼,  ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ  ବର୍ଷା ସମ୍ଭାବନା ଅଛି । ଏ ସବୁ ଜିଲ୍ଲାରେ ୭୦ରୁ  ୨୦୦ମିମି ଯାଏ ବର୍ଷା ହୋଇପାରେ । ବରଗଡ଼,  ସୋନପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ  ବୌଦ୍ଧରେ ବି ପ୍ରବଳ ବର୍ଷା ହେବ । ୧୧ ତାରିଖରେ  ବି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି  ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ସୋମବାର ମଧ୍ୟାହ୍ନରୁ ମଙ୍ଗଳବାର ମଧ୍ୟାହ୍ନ ଯାଏ ଭାରୀ  ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼,  କଟକ, ଫୁଲବାଣୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର  ଓ ନୂଆପଡ଼ାରେ ପ୍ରବଳ ବର୍ଷା ହୋଇପାରେ । କିନ୍ତୁ  ବୁଧବାର ବର୍ଷା କମିଯିବ ଓ ବିକ୍ଷିପ୍ତ ସ୍ଥାନରେ ହେବ । 

ସୃଷ୍ଟି ହୋଇଥିବା ଅବପାତ ମଙ୍ଗଳବାର ରାତି  ୯ଟା ସୁଦ୍ଧା ପୁରୀ ଉପକୂଳଠାରୁ ଦୂରରେ ସମୁଦ୍ର  ଉପରେ ରହିଛି । ରବିବାର ରାତି ସୁଦ୍ଧା ଏହା ଗଭୀର  ଅବପାତରେ ପରିଣତ ହେବ । ଆସନ୍ତା ୨୪ ଘଣ୍ଟାରେ  ଏହା ଢେଙ୍କାନାଳ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ  ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ । ସୋମବାର  ମଧ୍ୟାହ୍ନ ଯାଏ ଭୁବନେଶ୍ୱରରୁ ସୋନପୁରକୁ ସଂଯୋଗ  କରୁଥିବା ସରଳରେଖାର ଦକ୍ଷିଣରେ ମଧ୍ୟମ ଧରଣର  ବର୍ଷା ହେବ । ଫୁଲବାଣୀ, ରାୟଗଡ଼ା, ବଲାଙ୍ଗୀର ଓ  କଳାହାଣ୍ଡିରେ ମଧ୍ୟମରୁ ଭାରୀ ବର୍ଷା ହୋଇପାରେ  ବୋଲି ଡ. ପଶୁପାଳକ କହିଛନ୍ତି । 

Exit mobile version