Site icon ଆଜିକାଲି

ରାଜ୍ୟରେ ସୃଷ୍ଟିହେଲା ଲଘୁଚାପ, ଗଣେଶ ପୂଜାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଉପକୂଳର ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ, ଏହା ଉତ୍ତର ଦିଗରେ ଗତି କରିବା ସହ ୩ ଦିନ ମଧ୍ୟରେ ଗାଙ୍ଗେୟ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଅବପାତରେ ପରିଣତ ହେବ। ଏହି ଅଞ୍ଚଳରେ ଏକ ମୌସୁମୀ ନିମ୍ନଚାପରେଖା ସକ୍ରିୟ ରହିଛି।

ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ। ଗଣେଶ ପୂଜାରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଲଘୁଚାପ କ୍ଷେତ୍ର ପ୍ରଭାବରେ ୭ରୁ ୯ ତାରିଖ ଯାଏଁ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲା ସହିତ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଏବଂ ୧୦ ଓ ୧୧ ତାରିଖରେ ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।

ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବିଜୁଳି ଘଡ଼ଘଡ଼ି ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ମୟୂରଭଞ୍ଜ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Exit mobile version