Site icon ଆଜିକାଲି

ବଙ୍ଗୋପସାଗରରେ ଦାନା ଦୁଇଟି ବାନ୍ଧୁଛି ଲଘୁଚାପ, ୧୩ରୁ ବଢ଼ିବ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ଆଗ ପଛ ହୋଇ ଦୁଇଟି ଲଘୁଚାପ ଦାନା ବାନ୍ଧିପାରେ । ଏହା ପ୍ରଭାବରେ ବର୍ଷା ପ୍ରକୋପ ବଢ଼ିବା ସମ୍ଭାବନା ଅଛି । ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବା ନେଇ ପୂର୍ବାନୁମାନ କରାଯାଉଛି । ବିଭିନ୍ନ ମଡେଲ୍ର ଆକଳନ ହେଲା, ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୪ ତାରିଖ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

ଏହା ଲଘୁଚାପ ରୂପ ବି ନେଇପାରେ । ଏହାର ଗତି ଉତ୍ତର- ପଶ୍ଚିମ ଆଡ଼କୁ ରହିବା ନେଇ ଆକଳନ କରାଯାଉଛି । ସେହିପରି ୧୯ ତାରିଖବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି, ଯାହାକି ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଏହା ବି ଉତ୍ତର-ପଶ୍ଚିମକୁ ମୁହାଁଇପାରେ । ପାଣିପାଗ ବିଭାଗ ଦୁଇ ସପ୍ତାହ ପାଇଁ ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଜୁଲାଇ ୧୧ରୁ ୧୮ ତାରିଖ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭଲ ବର୍ଷା ସମ୍ଭାବନା ଅଛି ।

୧୮ରୁ ୨୫ ତାରିଖ ଭିତରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ । ପଶ୍ଚିମ, ଦକ୍ଷିଣ, କେନ୍ଦ୍ରୀୟ ଓ ଉପକୂଳରେ ଅଧିକ ବର୍ଷିବ । ପାଣିପାଗ ବିଭାଗର ତାଜା ପୂର୍ବାନୁମାନ ହେଲା,୧୨ ତାରିଖ (ଶୁକ୍ରବାର) ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ବଜ୍ରପାତ ଆଶଙ୍କା ରହିଛି ।

୧୩ ତାରିଖଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳ ବର୍ଷା ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି ।

୧୪ ତାରିଖରେ ବର୍ଷା ଆହୁରି ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୫ ତାରିଖରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷିପାରେ । ୧୬ରେ ଦକ୍ଷିଣର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୭ରେ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇପାରେ।

Exit mobile version