Site icon ଆଜିକାଲି

ଆଜି ସୃଷ୍ଟି ହୋଇପାରେ ଲଘୁଚାପ : ୫ ଦିନ ପ୍ରବଳ ବର୍ଷା,୧୫ ଜିଲ୍ଲାକୁ ଆଲର୍ଟ ଜାରି

Transparent umbrella under heavy rain against water drops splash background. Rainy weather concept.

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତ ସୋମବାର ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । କିନ୍ତୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ମଙ୍ଗଳବାର ଲଘୁଚାପ ସୃଷ୍ଟି ହୋଇପାରେ । ୨୪, ୨୫ ଓ ୨୬ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ୨୫, ୨୬ ଓ ୨୭ ତାରିଖରେ ସମ୍ବଲପୁରରୁ ସୁନ୍ଦରଗଡ଼ ଯାଏ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ । ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରରେ ଭାରୀ ବର୍ଷା ହେବ । ୨୬ ତାରିଖରେ ସାରା ରାଜ୍ୟରେ ଭାରି ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି । ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ହେବ ବୋଲି ସେ କହିଛନ୍ତି । ରାଜ୍ୟରେ ୨୮ ତାରିଖ ଯାଏ ବର୍ଷା ହୋଇପାରେ । ଆଗାମୀ ୫ ଦିନରେ ମୋଟ ବର୍ଷା ପରିମାଣ ୮୦ମିମିରୁ ଅଧିକ ବର୍ଷା ହୋଇପାରେ । କିଛି ସ୍ଥାନରେ ୧୦୦ମିମିରୁ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ଡ. ପଶୁପାଳକ କହିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୨୪ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରରେ ଭାରି ବର୍ଷା ସମ୍ଭାବନା ଅଛି । ୨୫ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଭାରି ବର୍ଷା ହୋଇପାରେ । ୨୬ରେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀରରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି ।

ସୂଚନା ଯେ, ସୋମବାର ଗୋପାଳପୁରରେ ପ୍ରବଳ ବର୍ଷା ହୋଇଛି । ଏଠାରେ ୯୮.୩ ମିମି ବର୍ଷା ରେକର୍ଡ ହୋଇଛି । ଭଦ୍ରକରେ ୪୬, ଛତ୍ରପୁରରେ ୪୨, ମାଲକାନଗିରିରେ ୨୨.୨, ତାଳଚେରରେ ୨୨, ଜଗତସିଂହପୁରରେ ୧୬ ଓ ଯାଜପୁରରେ ୧୦ମିମି ବର୍ଷା ହୋଇଛି ।

Exit mobile version