Site icon ଆଜିକାଲି

୫-ଟି ସଚିବଙ୍କ ମା’ ଭଗବତୀ ଓ ଉଗ୍ରତାରା ମନ୍ଦିର ପରିଦର୍ଶନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ରାଜ୍ୟର ପ୍ରସିଦ୍ଧ ଶକ୍ତି ପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ଏବଂ ଭୁଷଣ୍ଢପୁରର ମା’ ଉଗ୍ରତାରାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ସେ ସକାଳ ୬ଟା ୧୦ ମିନିଟରେ ମା’ ଭଗବତୀଙ୍କ ମନ୍ଦିର ଆଗରେ ପହଞ୍ଚିଲା ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ କରିଥିଲେ । ୫-ଟି ସଚିବ ମନ୍ଦିରର ଉନ୍ନତିକରଣ ଯୋଜନା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ମୋହର ମାରିଛନ୍ତି।

ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲକାରୀଙ୍କୁ ଉଚ୍ଛେଦ, ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ, ବସଷ୍ଟାଣ୍ଡ ନିର୍ମାଣ ଓ ପାର୍କିଙ୍ଗ ବ୍ୟବସ୍ଥା, ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ, ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ, ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ, ରୋଷ ଘର ଉନ୍ନତିକରଣ, ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ, ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର ଭଳି ପ୍ରକଳ୍ପ ଉପରେ ସେ ଆଲୋଚନା କରିଥିଲେ । ଏହି ସମସ୍ତ ପ୍ରକଳ୍ପ ପାଇଁ ୫-ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପରେ ମା’ ଉଗ୍ରତାରାଙ୍କ ମନ୍ଦିରରେ ସକାଳ ପ୍ରାୟ ୭ଟାରେ ପହଞ୍ଚି ୫-ଟି ସଚିବ ମାଆଙ୍କ ଦର୍ଶନ କରିବା ସହ ମନ୍ଦିର ଚାରିପଟ ବୁଲି ଦେଖିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲାପାଳ ଓ ମନ୍ଦିର ଟ୍ରଷ୍ଟି ସଦସ୍ୟ, ପୂଜକଙ୍କଙ୍କ ସହ ଆଲୋଚନା କରିଥିଲେ । ଜାତୀୟ ରାଜପଥଠାରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ, ଯାତ୍ରୀନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ ଲାଗି ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ।

Exit mobile version