Site icon ଆଜିକାଲି

ଖୋଲିଲା ମଝିଘରିଆଣି ମନ୍ଦିର ହୁଣ୍ଡି, ବାହାରିଲା ୫୮ ଲକ୍ଷରୁ ଅଧିକ ଟଙ୍କା

ରାୟଗଡ଼ା : ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିର ହୁଣ୍ଡିରୁ ବାହାରିଲା ନଗଦ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା । ଏଥି ସହିତ ୩୯ ଗ୍ରାମ ସୁନା ଓ ୧୬୫୦ ଗ୍ରାମ ରୂପା ବାହାରିଥିଲା । ସେହିଭଳି ୫ଟି ଆମେରିକୀୟ ଡଲାର ମଧ୍ୟ ହୁଣ୍ଡିରୁ ବାହାରିଛି । ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି । ସେହିଭଳି କିଛି ୨୦୦୦ ଟଙ୍କିଆ ଏବଂ ଅଚଳ ୫୦୦ ଟଙ୍କିଆ ନୋଟ ମଧ୍ୟ ହୁଣ୍ଡିରୁ ବାହାରିଛି ।

ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଦୀର୍ଘ ୮ଘଣ୍ଟା ଧରି ଗଣତି କରାଯାଇଥିଲା । ଏହା ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ମନ୍ଦିର ହୁଣ୍ଡି ଖୋଲାଯାଇଥିଲା । ସେହି ସମୟରେ ହୁଣ୍ଡିରୁ ୪୫ ଲକ୍ଷ ୧ ହଜାର ୨୪୯ ଟଙ୍କା ସହିତ ୨୯ ଗ୍ରାମ ସୁନା ଓ ୧୧୬୯ ଗ୍ରାମ ରୂପା ବାହାରିଥିଲା । ବିଭିନ୍ନ ଅଂଚଳରୁ ଆସୁଥିବା ମାନସିକଧାରୀ ଭକ୍ତ ହୁଣ୍ଡିରେ ଦାନ ପ୍ରଦାନ କରୁଛନ୍ତି । ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି । ସେହିଭଳି ସୁନା ଓ ରୂପା ଜିଲ୍ଲା କୋଷାଗାରରେ ରଖାଯାଇଛି ।

Exit mobile version