Site icon ଆଜିକାଲି

ମୋବାଇଲ ଦେଖିବାକୁ ଦେଲାନି ବୋଲି ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଅଭାବନୀୟ ଘଟଣା I ସାମାନ୍ୟ ମୋବାଇଲ ପାଇଁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ । ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ମହିଳା ଜଣଙ୍କ ଫେରାର ହୋଇଥିବା ଜଣାପଡିଛି।

ସୂଚନା ଯେ, କେସେରକେଲା ଗାଁର ଗଣେଶ୍ୱର ସୁନା ଗତ ୨୦୧୭ ମସିହାରେ ଛତିଶଗଡ଼ର ବିଲାସପୁରର ଇଶ୍ୱରୀ କୁମାରୀଙ୍କୁ ବାହା ହୋଇଥିଲେ। ଗତ ଶନିବାର ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଈଶ୍ୱରୀ ସ୍ୱାମୀ ଗଣେଶ୍ୱରଙ୍କୁ ମୋବାଇଲ ଦେଖିବାକୁ ମାଗିଥିଲେ। କିନ୍ତୁ ଡାଟା ଶେଷ ହୋଇଯିବ କହି ସ୍ତ୍ରୀକୁ ମୋବାଇଲ ଦେଇ ନଥିଲେ ଗଣେଶ୍ୱର। ଫଳରେ ରାଗି ଯାଇଥିଲେ ଈଶ୍ୱରୀ। ଗତ ରବିବାର ବିଳମ୍ବିତ ରାତିରେ ଗଣେଶ୍ୱର ଶୋଇଥିବା ବେଳେ ଈଶ୍ୱରୀ ପନିକିରେ ତାଙ୍କ ହାଣି ଦେଇଥିଲେ। ଈଶ୍ୱରୀଙ୍କ ପନିକି ଚୋଟରେ ଗଣେଶ୍ୱରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗଣେଶ୍ୱର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ହାଣି ଦେଇଥିଲେ ଈଶ୍ୱରୀ। ସ୍ୱାମୀଙ୍କୁ ଲହୁଲୁହାଣ କରି ଝିଅକୁ ଧରି ଫେରାର ହୋଇଯାଇଥିଲେ ଈଶ୍ୱରୀ। ସ୍ଥାନୀୟ ଲୋକେ ଗଣେଶ୍ୱରକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରିଥିଲେ। ହସପିଟାଲରେ ଥିବାରୁ ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି ଗଣେଶ୍ୱର।

Exit mobile version