Site icon ଆଜିକାଲି

ବିଜେଡିରେ ମିଶିଲେ ହିଞ୍ଜିଳିର ବହୁ ବିଜେପି ଓ କଂଗ୍ରେସ ନେତା

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଉପକଣ୍ଠରେ ବିଜେପି ପାଇଁ ଜନ ସମାବେଶ କରିଥିଲା ବେଳେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଓ ଗଞ୍ଜାମ, ଗଜପତି ଜିଲ୍ଲାର ଅନେକ ସ୍ଥାନରେ ତୃଣମୂଳ ସ୍ତରର ବହୁ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି। ହିଞ୍ଜିଳି, ପୋଲସରା, ପାରଳାଖେମୁଣ୍ଡି, କାଶୀନଗର ଆଦି ଅଞ୍ଚଳରେ ବିଜେପି ସମେତ କଂଗ୍ରେସର ବହୁ ନେତା ଓ କର୍ମୀ ଏବେ ବିଜେଡି ସଦସ୍ୟତା ଗ୍ରହଣ କରିଛନ୍ତି। କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍.ସୁଧାରାଣୀ ବିଜେଡିକୁ ଘର ବାହୁଡ଼ା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ତାଙ୍କ ବିଶାଳ ପରିବାର ତଥା ବିଜେଡି ପରିବାର ଠାରୁ ଦୂରରେ ରହିବା କଷ୍ଟ ବୁଝିପାରି ସେ ଘର ବାହୁଡ଼ା କରିଥିବା କହିଛନ୍ତି। କିଛି ଦିନ ତଳେ ବିଜେପିରେ ମିଶିଥିଲା ବେଳେ ରବିବାର ପାରଳାଖେମୁଣ୍ଡି ବିଜେଡି କାର୍ଯ୍ୟାଳୟରେ ପୁଣି ବିଜେଡିକୁ ଫେରି ଆସିଛନ୍ତି ସେ। ମୋହନା ନିର୍ବାଚନମଣ୍ଡଳୀର ବହୁ ବିଜେପି ନେତା ଓ କର୍ମୀ ମଧ୍ୟ ପାରଳାଖେମୁଣ୍ଡି ବିଜେଡି କାର୍ଯ୍ୟାଳୟରେ ଶଙ୍ଖନାଦ କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ରବିବାର ଏମାନେ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗକ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଛନ୍ତି।

ସେହିପରି ହିଞ୍ଜିଳି ବିଜେଡିର ମିଶ୍ରଣ ପର୍ବ ଭୁବନେଶ୍ବର ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା। ବହୁ ବିଜେପି ଓ କଂଗ୍ରେସ ନେତା ନିଜ ସମର୍ଥକଙ୍କ ସହ ଦଳ ଛାଡ଼ି ବିଜେଡି ସଦସ୍ୟତା ଗ୍ରହଣ କରିଛନ୍ତି। ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଓ ଦଳର ରାଜ୍ୟ ସାଧାରଣ ସଂପାଦକ ଦେବାନନ୍ଦ ମହାପାତ୍ର ସେମାନଙ୍କୁ ବିଜେଡିରେ ସ୍ବାଗତ କରିଥିଲେ। ଏହାଦ୍ବାରା ଅଞ୍ଚଳରେ ବିଜେଡି ଦଳୀୟ ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଉଭୟ ବରିଷ୍ଠ ନେତା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣମୂଳକ ଯୋଜନା, ସ୍ବଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ତଥା ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଥିବା କହିଛନ୍ତି ମିଶିଥିବା ନୂଆ ସଦସ୍ୟଗଣ। ସେହିପରି ପୋଲସରା ବ୍ଲକ୍ ହାତୀଓଟ ହନୁମାନ ମନ୍ଦିରରେ ଆୟୋଜିତ ମିଶ୍ରଣ ପର୍ବରେ ଚିରିକିପଡା ଶାସନର ବହୁ ପରିବାର ବିଜେଡିରେ ସାମିଲ ହୋଇଛନ୍ତି।

Exit mobile version