Site icon ଆଜିକାଲି

ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ଲୋକଙ୍କ ଭାଗିଦାରୀକୁ ନେଇ ମହାସମାବେଶ

ଭୁବନେଶ୍ବର – ସାରା ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧,୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସଡିସିର ପ୍ରାୟ ୨,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ l

ଏହି ମହାସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏସଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ କରିଛି।

୧୩ଟି ଆଦିମ ଜନଜାତି ବା ପିଭିଟିଜି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ଏସଡିସିମାନଙ୍କୁ ସରକାର ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ସାମଗ୍ରିକ ସଂସ୍କୃତିକୁ ଜନଜାତି କଳା ଓ ସଂସ୍କୃତି ସମୃଦ୍ଧ କରିଛି। ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ ।

୧୧ ହଜାରରୁ ଅଧିକ ପବିତ୍ର ପୂଜାସ୍ଥଳୀର ସଂରକ୍ଷଣ କରାଯାଇଛି, ଯାହା କି ଏକ ବଡ ଉପଲବ୍ଧି। ଏହା ବ୍ୟତୀତ ବ୍ଲକ ଓ ଜିଲ୍ଲା ସ୍ତରରେ ୬୦୦ ରୁ ଅଧିକ କ୍ରୀଡା ଓ ସଂସ୍କୃତି ଉତ୍ସବର ମଧ୍ୟ ଆୟୋଜନ କରା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ୨୧ଟି ଦ୍ଵି ଭାଷୀ ଶବ୍ଦକୋଷ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ବାଦ୍ୟଯନ୍ତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଉପସ୍ଥିତ ଥିବା ଓଡ଼ିଶାର ୧୩ଟି ପିଭିଟିଜି ସମ୍ପ୍ରଦାୟର ଦମ୍ପତିଙ୍କ ସହ ଫଟୋ ଉଠାଇଥିଲେ। ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଅବଦାନ ପାଇଁ କେନ୍ଦୁଝର ଦେବହୁଡ଼ିର “ହୋ ସମାଜ ସାଗନ ଅକଳାକୁ” ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ୭ଟି ‘ଜାହିରା’କୁ ସାମୂହିକ ଜଙ୍ଗଲ ଅଧିକାରରେ ପଟ୍ଟା ପ୍ରଦାନ କରିଥିଲେ।

ଏହାବ୍ୟତୀତ ମାଲକାନଗିରିର କୋୟା ଆଦିବାସୀ ଦଳ, କନ୍ଧମାଳର କୁଟିଆ କନ୍ଧ ଆଦିବାସୀ ଦଳର ସଦସ୍ୟମାନଙ୍କୁ ବାଦ୍ୟଯନ୍ତ୍ର ଓ ନବରଙ୍ଗପୁରର ଗଣ୍ଡ ଆଦିବାସୀ ଗୋଷ୍ଠୀକୁ ନୃତ୍ୟ ପୋଷାକ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ସଚିବ ଏବଂ ୧୧୨ଟି ଟିଏସପି ବ୍ଲକ ସମ୍ପ୍ରଦାୟର ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ଆଧାରରେ ଭାଗିଦାରୀ ଶାସନ ଉପରେ ନିଆଯାଇଥିବା ପଦକ୍ଷେପର ସଂକ୍ଷିପ୍ତ ବିବରଣୀ ମୁଖ୍ୟମନ୍ତ୍ରୀ ‘ମୋ ପରିକଳ୍ପନା’ ରିପୋର୍ଟ ଉନ୍ମୋଚନ କରିଥିଲେ।

ଏହାବ୍ୟତୀତ ରାଜ୍ୟସ୍ତରୀୟ ପ୍ରଶାସନିକ ୟୁନିଟର ଗବେଷଣା ଦଳ ଦ୍ୱାରା ପ୍ରସ୍ତୁତ କଫି ଟେବୁଲ ପୁସ୍ତକ ‘ସାକ୍ରେଡ ଗ୍ରୋଭସ ଅଫ୍ ଟ୍ରାଇବାଲ ଓଡ଼ିଶା’, ଏସସିଏସଟିଆରଟିଆଇ ଦ୍ୱାରା ପ୍ରକାଶିତ ସମରେନ୍ଦ୍ର ଭୁତିଆଙ୍କ “ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଜନଜାତି” ପୁସ୍ତକ, ଏସସିଏସଟିଆରଟିଆଇ ଦ୍ୱାରା ପ୍ରକାଶିତ ୧୭ଟି ଏମଏଲଇ ପ୍ରାଇମର୍ସ ଏବଂ ରାୟଗଡ଼ା ଏସଡିସି ଦ୍ୱାରା ଓଡ଼ିଆରେ ଅନୁବାଦିତ ୨୫ ଟି ସଉରା ଭାଷା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଜନଜାତି ଐତିହ୍ୟ ଓ ପରମ୍ପରାର ସୁରକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କର ଜନ ଜାତି କଳା ଓ ସଂସ୍କୃତି ପ୍ରତି ଆନ୍ତରିକ ଭଲ ପାଇବା ଓ ନିଷ୍ଠା ଅଛି ବୋଲି ସେ କହିଥିଲେ।

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ କହିଲେ ଯେ ଭାରତର ଅନେକ ସରକାର ଜନଜାତିମାନଙ୍କ ପାଇଁ ଅନେକ ସ୍ଵପ୍ନ ଦେଖିଛନ୍ତି। କିନ୍ତୁ ଓଡ଼ିଶାରେ ହିଁ ଜନଜାତିମାନଙ୍କ ସ୍ଵପ୍ନ ପୂରଣ ହୋଇଛି। ଜନଜାତି ଯୁବକମାନେ ଆଜି ବଡ ହେବାର ସ୍ବପ୍ନ ଦେଖିି ପାରୁଛନ୍ତି ଓ ପୂରଣ ମଧ୍ୟ କରୁଛନ୍ତି ।

ସ୍ଵାଗତ ଭାଷଣ ଦେଇ ବିଭାଗୀୟ ସଚିବ ରୂପା ରୋଷନ ସାହୁ କହିଲେ ଯେ ପୂଜା ସ୍ଥଳୀର ସଂରକ୍ଷଣ ସହିତ ପୂଜା ସ୍ଥଳୀକୁ ପଟ୍ଟା ପ୍ରଦାନ କରିବା ର ଉଦାହରଣ ଓଡ଼ିଶା ବ୍ୟତୀତ ଆଉ କେଉଠାରେ ନାହିଁ। ଜନଜାତିଙ୍କ ଅଧିକାରର ସୁରକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ ଓଡିଶା ସବୁଠାରୁ ଆଗରେ ବୋଲି ସେ କହିଥିଲେ। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version