Site icon ଆଜିକାଲି

କାଲିଠାରୁ ମ୍ୟାଟ୍ରିକ ପରୀକ୍ଷା, ଏଥର ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର – ଚାଲିଛି ପରୀକ୍ଷା ଋତୁ । ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩ ହଜାର ୪୭ଟି କେନ୍ଦ୍ର କରାଯାଇଛି। ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି।

ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ଏକାଧିକ ବ୍ୟବସ୍ଥା କରିଛି । ବିଶେଷକରି କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ବୋର୍ଡ । କପି ରୋକିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ- ଏଆଇର ସହାୟତା ନିଆଯାଇଛି ।

ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକ ସହ ନୋଡାଲ ସେଣ୍ଟରରେ ଏଆଇ କ୍ୟାମେରା ଲଗାଯିବ । ବୋର୍ଡ ମୁଖ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ଏହା ଉପରେ ନଜର ରଖାଯିବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଇଭ ଷ୍ଟ୍ରିମିଂ ଓ ଓ୍ଵେବକାଷ୍ଟିଂ ଲାଗି ବ୍ୟବସ୍ଥା କରାଯାଇଛି।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ରକୁ ଆସିବେ । ସକାଳ ୮ଟା ୧୫ ମିନିଟ ପରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ଉତ୍ତର ଖାତା ଆସିବା ପର୍ଯ୍ୟନ୍ତ ଏହାର ତଦାରଖ କରିବେ। ବିଇଓ, ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଏହାର ଦାୟିତ୍ଵ ରହିବ। ସେଣ୍ଟର ସୁପରିଟେଣ୍ଟେଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇପାରିବେ ନାହିଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version