Site icon ଆଜିକାଲି

ମୟୂରଭଞ୍ଜ ଓ ବାଲେଶ୍ବରରେ ନିଶ୍ଚିତ ହେବ ବନ୍ୟା : ଏସ୍‌ଆର୍‌ସି

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ନିଶ୍ଚିତ ହେବା ନେଇ ଏସଆରସି ଦୃଢ଼ୋକ୍ତି ବାଢ଼ିଛନ୍ତି । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍ ଖୋଲିଥିବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି । ପ୍ରତି ସେକେଣ୍ଡକୁ ୪ ଲକ୍ଷ ୨୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି, ଯାହା ସୁବର୍ଣ୍ଣରେଖା ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ହେଲେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ବିଶେଷ ଭାବେ ପ୍ରଭାବିତ ହେବ । ସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଦୁଇ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱରକୁ ୫୮ଟି ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି।

ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ହେବା ନିଶ୍ଚିତ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି ବୋଲି କହିଛନ୍ତି ଏସ୍‌ଆର୍‌ସି। ମୁଣ୍ଡଳିରେ ମହନଦୀର ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକକୁ ଖସିଲାଣି। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧରେ ବେଶି ବର୍ଷା ସତ୍ତ୍ୱେ ପ୍ରଭାବ ପଡ଼ିବନି। କାରଣ ହୀରାକୁଦର କେବଳ ୪ଟି ଗେଟ୍ ଖୋଲା ରହିଛି। ତେଣୁ ମହାନଦୀକୁ ନେଇ ଆଉ ବିପଦ ଆଶଙ୍କା ନାହିଁ। ସେହିପରି ବୈତରଣୀ ନଦୀକୁ ନେଇ ବଡ଼ ସମସ୍ୟା ନାହିଁ ବୋଲି କହିଛନ୍ତି ଏସ୍‌ଆର୍‌ସି ଶ୍ରୀ ଜେନା। ସେ କହିଛନ୍ତି, ଆଖୁଆପଦାରେ ବୈତରଣୀର ଜଳସ୍ତର ୧୯ ମିଟର ପର୍ଯ୍ୟନ୍ତ ଯାଇପାରେ। କିନ୍ତୁ ୧୯ ମିଟର ପର୍ଯ୍ୟନ୍ତ ଜଳସ୍ତର ବଢ଼ିଲେ ବି ବିଶେଷ କ୍ଷତି ହେବନାହିଁ। ସେହିପରି କାଣୀନଦୀରେ ସୃଷ୍ଟି ଘାଇର ମରାମତି ଚାଲିଥିବା ବେଳେ ସେଠାରେ ପାଣି ପାସ୍ କରୁଛି। ଘାଇ ଉପରେ ସାମାନ୍ୟ ପାଣି ପାସ୍ କରିବ, କିନ୍ତୁ ବେଶି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ବଂଶଧାରା ନଦୀର ଜଳସ୍ତର କମିବା ଆରମ୍ଭ କରିଛି।

Exit mobile version