Site icon ଆଜିକାଲି

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା, ସ୍ଥିତି ଉପରେ ପାଣିପାଗ ବିଭାଗର ନଜର

ଭୁବନେଶ୍ୱର : ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା ଦେଖାଦେଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଅବପାତର ରୂପ ନେଇପାରେ ।

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ, ଅବପାତ ସୃଷ୍ଟି ହେଲା ପରେ ହିଁ ବାତ୍ୟାର ରୂପରେଖ କ’ଣ ରହିବ ତାହା ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ଓଡ଼ିଶା ପ୍ରତି ବାତ୍ୟା ସୂଚନା ନାହିଁ। ତେବେ,ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛନ୍ତି ଏସଆରସି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି।

ତେବେ ସାମ୍ଭବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ୭ ଟି ଉପକୂଳ ଜିଲ୍ଲାକୁ ସର୍ତକ କରାଯାଇଛି । ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର , କେନ୍ଦ୍ରାପଡା , ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପ୍ରଶାସନକୁ ଏସଆରସି ଚିଠି ଲେଖିଛନ୍ତି । ୧ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ୧ ତାରିଖ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି ।

ଏପଟେ ସମ୍ଭାବ୍ୟ ବାତ୍ୟା ନେଇ ଚାଷୀଙ୍କ ଚିନ୍ତା ବଢିଛି । ଅମଳ ସମୟରେ ବର୍ଷା କି ପବନ ହେଲେ ପୁରା କ୍ଷେତ ଉଜୁଡି ଯିବାର ଭୟ ରହିଛି। ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି ଦକ୍ଷିଣ ଆଣ୍ଡମାନ ସାଗର ଉପରେ ଲଘୁଚାପ ରହିଛି । ଏହା ପଶ୍ଚିମ – ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୩୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି। ପରେ ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । ୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ଓ ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ରୂପ ନେବ।

Exit mobile version