Site icon ଆଜିକାଲି

କଟକର ସରକାରୀ ସ୍କୁଲ୍‌ରେ ଆରମ୍ଭ ହେଲା ମିଶନ ‘ସୁପର୍‌ ୩୦’

କଟକ: କଟକ ଜିଲା ପ୍ରଶାସନର ଅଭିନବ ଉଦ୍ୟମ। ଆରମ୍ଭ ହେଲା ମିଶନ ‘ସୁପର୍-୩୦’ । ରାଜ୍ୟର ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲା ଆଠଗଡ଼ର ବିଶ୍ବନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଅଭିଯାନ। ଛାତ୍ରଛାତ୍ରୀଙ୍କ ମେଧା ଶକ୍ତିର ଅନୁଧ୍ୟାନ କରାଯାଇ କିପରି ସେମାନେ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଓ ଏ-୧ ଗ୍ରେଡରେ ପାସ୍ କରିବେ, ସେନେଇ ପ୍ରଶିକ୍ଷଣ ଦିଆଯିବ । ପ୍ରସ୍ତୁତି କରିବେ ଅଭିଜ୍ଞ ଶିକ୍ଷକଙ୍କ ସହ ଜିଲାପାଳ ଓ ଉପଜିଲାପାଳ । ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରିଛନ୍ତି ଶୁଭାରମ୍ଭ।

୨୦୨୩ ମାଟ୍ରିକ୍ ପାଇଁ ନବମରେ ୬୯ ପ୍ରତିଶତ ମାର୍କ ରଖିଥିବା ୩୦ ଜଣ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରେ ଅଛନ୍ତି ୧୫ ଜଣ ଛାତ୍ରୀ ଓ ୧୫ ଜଣ ଛାତ୍ର। ସେମାନଙ୍କୁ ସ୍ବତନ୍ତ୍ର ଶିକ୍ଷାଦାନ ସହ ପରୀକ୍ଷା କରାଯିବ। ବିଦ୍ୟାର୍ଥୀଙ୍କ ପ୍ରଥମ କ୍ଲାସ୍ ନେଇଛନ୍ତି ଜିଲାପାଳ । ଇତିହାସ ହେଉ ଅବା ସାହିତ୍ୟ, କିପରି ସହଜ ଓ ସରଳ ଉପାୟରେ ମନେ ରଖି ହେବ ସେ ନେଇ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଥିଲେ। ଏଥିପାଇଁ ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ ଓ ପୃଷ୍ଟିଦାୟକ ଖାଦ୍ୟ ବିଭିନ୍ନ ସଂସ୍ଥା ଯୋଗାଇ ଦେଇଛନ୍ତି । ଆଗାମୀ ଦିନରେ ପୂରା ଜିଲାରେ ଆରମ୍ଭ ହେବ ଏହି ଅଭିଯାନ। କାର୍ଯ୍ୟକ୍ରମରେ ଏନ୍‌ଟିପିସିର ସାଧାରଣ ପରିଚାଳକ ରଜନୀଶ ରସ୍ତୋଗି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଆଠଗଡ଼ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖଚନ୍ଦ୍ର ଦାଶ, ଭାରପ୍ରାପ୍ତ ସହକାରୀ ସୂଚନା ଅଧିକାରୀ ଅଭିରାମ ଦାସ, ବ୍ଲକ ଶିକ୍ଷା ଅଧିକାରୀ ବିଜୟଲକ୍ଷ୍ମୀ ସାମଲ, ବିଶ୍ଵନାଥ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମର କୁମାର ମହାରଣା, ମିସନ୍‌ ଜିରୋ-ଏଫ୍‌ର କେନ୍ଦ୍ର ମୁଖ୍ୟ ରଶ୍ମିତା ମିଶ୍ର, ସଂଯୋଜିକା ଲୋପାମୁଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ସ୍ଵାଇଁ ଓ ଜିଲ୍ଲାପାଳ ସୁପର୍‌-୩୦ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ସହ ବସ୍ତାନି ପ୍ରଦାନ କରିଥିଲେ।

Exit mobile version