Site icon ଆଜିକାଲି

ବିରଳ ଅପରେସନ୍ ଜରିଆରେ ରୋଗୀଙ୍କ ଜୀବନ ରକ୍ଷା କଲେ ଏମକେସିଜି ଡାକ୍ତର ଟିମ୍

ବ୍ରହ୍ମପୁର : ପେଟ ଅତ୍ୟଧିକ ଫୁଲି ଯାଇଥିଲା। ଶରୀର ମଧ୍ୟରେ ଅନ୍ତଃନଳୀ ଉପରକୁ ରହିଥିବା ବୃହତ୍ ଅନ୍ତଃନଳୀ ମଧ୍ୟ ଫାଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଥିଲା। ପବନ ଲିକ୍ ହେବା କାରଣରୁ ରୋଗୀଙ୍କ ଅବସ୍ଥା ଧିରେ ଧିରେ ଗୁରୁତର ହୋଇ ପଡୁଥିଲା। ଏଭଳି ଜଣେ ରୋଗୀଙ୍କ ସଫଳ ଅପରେସନ୍ କରାଇ ତାଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହୋଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସପିଟାଲର ଡାକ୍ତରୀ ଟିମ୍। ସମ୍ପୃକ୍ତ ରୋଗୀ ଫୁଲବାଣୀର ମୃତ୍ୟୁଞ୍ଜୟ ପାତ୍ରଙ୍କ ସ୍ୱାସ୍ଥବସ୍ଥା ସ୍ଥିର ରହିଥିବା ବେଳେ ସେ ବର୍ତ୍ତମାନ ସେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ ଆଇସିୟୁରେ ଚିକିତ୍ସାଧୀନ ରହିଛନ୍ତି।

ଜଣାପଡ଼ିଛି ଯେ, କିଛି ଜଣ ବ୍ୟକ୍ତି ବଳପୂର୍ବକ ମୃତ୍ୟୁଞ୍ଜୟଙ୍କ ମଳଦ୍ୱାର ପଟେ ମେଟାଲ୍ ପମ୍ପ୍ ଲଗାଇ ପବନ ପୁରାଇଥିଲେ। ସେମାନେ କାହିଁକି ଏଭଳି କରିଥିଲେ ମୃତ୍ୟୁଞ୍ଜୟ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କ ଠାରୁ ଜାଣିବାକୁ ଅପେକ୍ଷା କରିଛି ପୋଲିସ। ପମ୍ପ୍ ମେଟାଲ୍ ଯୋଗୁଁ ମୃତ୍ୟୁଞ୍ଜୟଙ୍କ ଶରୀରର ଆଭ୍ୟନ୍ତରୀଣ ଅଂଶରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କ ବୃହତ୍ ଅନ୍ତଃନଳୀର ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରିବାରେ ସଫଳ ହୋଇଛନ୍ତି ଏମକେସିଜି ସର୍ଜରୀ ବିଭାଗର ଡାକ୍ତରୀ ଦଳ। ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଧରି ଏହି ବିରଳ ଅପରେସନ୍ ପରେ ରୋଗୀ ଜଣଙ୍କ ଜୀବନ ରକ୍ଷା ହୋଇପାରିଥିବା କହିଛନ୍ତି ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଶିବ ପ୍ରସାଦ ଦାଶ। ମଳଦ୍ୱାରରେ ଗଭୀର ଆଘାତ ଲାଗିଥିବାରୁ ଅନ୍ୟ ଏକ ବାଟ କରାଯାଇ ମଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି।

ଫୁଲବାଣୀ ଅଞ୍ଚଳର ୪୫ ବର୍ଷୀୟ ମୃତ୍ୟୁଞ୍ଜୟ ଜଣେ ଗ୍ୟାରେଜ୍ ମେକାନିକ୍। ଗତ ୯ ତାରିଖ ସନ୍ଧ୍ୟାରେ ତାଙ୍କୁ ଏମକେସିଜି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଅତି ଗୁରୁତର ଥିଲା। ଡାକ୍ତରୀ ଟିମ୍ ତାଙ୍କର ସମସ୍ତ କଥା ପଚାରି ବୁଝିଥିଲେ। ସେହି ଦିନ ସକାଳେ ମୃତ୍ୟୁଞ୍ଜୟଙ୍କ ସହ ଏପରି ଘଟିଥିଲା। ପ୍ରଫେସର ଡା. ଶିବ ପ୍ରସାଦ ଦାଶଙ୍କ ନେତୃତ୍ୱରେ ସର୍ଜରୀ ଏବଂ ନିଶ୍ଚେତକ ବିଭାଗର ମିଳିତ ଡାକ୍ତରୀ ଟିମ୍ ସମସ୍ତ ପ୍ରକାର ପରୀକ୍ଷା କରିବା ସହ ଏକ୍ସରେ ଓ ସିଟି ସ୍କାନ୍ କରାଇ ଅସ୍ତ୍ରୋପଚାର ଜରିଆରେ ଅନ୍ତଃନଳୀ ସିଲେଇ କରାଯାଇଥିଲା। ଅପରେସନରେ ସର୍ଜରୀ ବିଭାଗର ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ଡାକ୍ତର ଅଭିଳାଷ ପଣ୍ଡା, ଡାକ୍ତର ଭି.ରାଜେଶ ଏବଂ ନିଶ୍ଚେତକ ବିଭାଗର ଡାକ୍ତର ଜଗଦୀପ ନାୟକ, ଡାକ୍ତର ଶିବାଙ୍ଗୀ, ଡାକ୍ତର ପ୍ରଭାତି ମିଶ୍ର ଓ ଅନ୍ୟମାନେ ଙ୍କ ସାମିଲ ଥିଲେ।

Exit mobile version