Site icon ଆଜିକାଲି

ସାଧାରଣ ନିର୍ବାଚନରେ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଖୋଲାଯିବ ଆଦର୍ଶ ମତଦାନ କେନ୍ଦ୍ର

ଭୁବନେଶ୍ୱର: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ନିମନ୍ତେ ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯିବା ପାଇଁ ସ୍ଥିର କରାଯାଇଛି ।

ନିର୍ବାଚନ ସମୟରେ ନିର୍ବାଚକ ବା ଭୋଟରମାନେ ଆନନ୍ଦଉଲ୍ଲାସ ତଥା ଆଗ୍ରହର ସହ ମତଦାନ କେନ୍ଦ୍ରକୁ ଆସି ନିର୍ଭୟରେ ମତଦାନ କରିବା ହେଉଛି ଗଣତନ୍ତ୍ରର ଏକ ମହାପର୍ବ, ଯାହାକି ଦେଶର ଗର୍ବ ଓ ଗୌରବ ଅଟେ । ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନ ପର୍ବରେ ଦେଶର ସବୁ ଶ୍ରେଣୀର ନାଗରିକମାନେ ଯଥା-ମହିଳା, ଦିବ୍ୟାଙ୍ଗ ଓ ଯୁବ ସମୁଦାୟ ଏକାକାର ହୋଇ ନିର୍ବାଚନରେ ଅଂଶଗ୍ରହଣ କରି ମନପସନ୍ଦର ନେତା ବାଛିଥାନ୍ତି ।

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ମତଦାନ କେନ୍ଦ୍ର ଖୋଲିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଦର୍ଶ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ମଧ୍ୟରେ ପଲିଥିନମୁକ୍ତ ପଦାର୍ଥଗୁଡ଼ିକୁ ନେଇ ପରିଷ୍କାର ପରିବେଶ ମଧ୍ୟରେ ଖୋଲାଯିବା ପାଇଁ ସ୍ଥିର କରାଯାଇଛି ।

ପ୍ରତି ବିଧାନସଭା ମଣ୍ଡଳୀର ସମୁଦାୟ ମତଦାନ କେନ୍ଦ୍ରର ୨୦ ପ୍ରତିଶତ କେନ୍ଦ୍ରରେ ଆଦର୍ଶ ମତଦାନ କେନ୍ଦ୍ର ଖୋଲିବା ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ସେଥିମଧ୍ୟରୁ ୫ ଗୋଟି ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଯୁବବର୍ଗର କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବ ଓ ଗୋଟିଏ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ବର୍ଗର କର୍ମଚାରୀମାନଙ୍କୁ ନେଇ ପରିଚାଳିତ ହେବ ଓ ପ୍ରାୟ ୧୦ ପ୍ରତିଶତ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ଭାବେ ମହିଳା କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବ ।

Exit mobile version