Site icon ଆଜିକାଲି

‘ବିଜୟ ସଂକଳ୍ପ ସମାବେଶ’ରେ ଗର୍ଜିଲେ ମୋଦୀ: ‘ବିଜେଡି ଯିବ, ଓଡ଼ିଶାରେ ବିଜେପି ସରକାର’

‘ବିଜେପି ଯାହା କହେ, ତାହା କରିକି ଦେଖାଏ। ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରି ଡେଟ୍‌ ଲେଖାଅଛି। ଆଉ ମାସେ ପରେ ଅର୍ଥାତ ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା’। ଓଡ଼ିଶାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଢଙ୍ଗରେ ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସିଧା ସିଧା ଜଣାଇ ଦେଇଛନ୍ତି ଯେ ଏଥର ବିଜେପିର ନଜର କେବଳ ଲୋକସଭା ଆସନ ଉପରେ ନାହିଁ, ବରଂ ମୁଖ୍ୟମନ୍ତ୍ରୀ ଚୌକି ଉପରେ ବି ରହିଛି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଜୟ ଜଗନ୍ନାଥ କାର୍ଡ ଖେଳିବାକୁ ମଧ୍ୟ ଭୁଲିନଥିଲେ।

ଆଜି ପ୍ରଧାନମନ୍ତ୍ରୀ ପ୍ରଥମେ ବ୍ରହ୍ମପୁର ଓ ପରେ ନବରଙ୍ଗପୁରରେ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେଇଥିଲେ। ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ଯେଭଳି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ନରମ ମନୋଭାବ ପ୍ରଦର୍ଶନ କରିଥିଲେ, ଆଜି ସେମିତି ନଥିଲା। ବରଂ ରାଜ୍ୟ ସରକାରଙ୍କ ଉପରେ ସିଧା ଆକ୍ରମଣ କରିଥିଲେ। ବିଜେଡିର ୨୫ ବର୍ଷର ଶାସନ ବିଫଳ ହୋଇଛି ବୋଲି କହି ସମାଲୋଚନା କରିଥିଲେ ମୋଦୀ। ଧନୀ ଓଡ଼ିଶାର ଜନତା ଗରିବ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଗର୍ଜିଥିଲେ ଯେ ଏଠାରେ ଚାଷ ନାହିଁ କି ରୋଜଗାର ନାହିଁ। ଯୁବକଙ୍କୁ ରୋଜଗାର ପାଇଁ ବାହାର ରାଜ୍ୟ ଯିବାକୁ ପଡ଼ୁଛି। ୨୫ବର୍ଷର ଶାସନର ବାସ୍ତବତା ହେଲା ବିଜେଡି ଲୋକଙ୍କ ସମସ୍ୟାର ସମାଧାନ କରିପାରୁନି। ତେଣୁ କୌଣସି ଅଣଓଡ଼ିଆ ନୁହନ୍ତି, ଜଣେ ଓଡ଼ିଆ ତଥା ବିଜେପିରୁ ହିଁ ଜଣେ ଏଥର ମୁଖ୍ୟମନ୍ତ୍ରୀ ହେବେ ଏବଂ ଲୋକଙ୍କର ବିକାଶ କରିବେ। ଏହା ସହ ବିଜେପି ସରକାର ଆସିଲେ ଓଡ଼ିଶା ପାଇଁ କି କି ଯୋଜନା କାର୍ଯ୍ୟକାରୀ କରିବ, ତାହାର ତାଲିକା ବି ଦେଇଥିଲେ ପ୍ରଧାନମନ୍ତ୍ରୀ।

Exit mobile version