ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଫଳସ୍ବରୂପ ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଆସନ୍ତା ୬ତାରିଖ ବେଳକୁ ଏକ ନିମ୍ନଚାପ ରେଖା ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ପରିମାଣ ବଢିବ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ଉତ୍ତର ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗୋଟିଏ ପୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ପୂର୍ବ ବିହାର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଜଗତସିଂହପୁର, କନ୍ଧମାଳ ଏବଂ କଳାହାଣ୍ଡି ଆଦି ଜିଲାରେ ବର୍ଷା ହୋଇଛି। ଦାରିଙ୍ଗବାଡିରେ ସବୁଠୁ ଅଧିକ ୬୪ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ କଣ୍ଟାପଡା ୪୭ମି.ମି ଏବଂ ବାଲିକୁଦ ୪୫ମି.ମି ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ରାଉରକେଲା, ସୁବର୍ଣ୍ଣପୁର, କେନ୍ଦୁଝର,ବାଲେଶ୍ବର ଏବଂ ଚାନ୍ଦବାଲିରେ ବର୍ଷା ହୋଇଛି। ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।