Site icon ଆଜିକାଲି

ମୌସୁମୀ ସକ୍ରିୟ : ରାଜ୍ୟରେ ଆଉ ୫ ଦିନ ଲାଗି ରହିବ ବର୍ଷା !

ଭୁବନେଶ୍ବର : ରାଜ୍ୟ​‌ରେ ମୌସୁମି ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୨୯ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଜି(ଗୁରୁବାର) କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୋଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ବରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ୨୬ ଯାଏଁ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି ଏବଂ ସ୍ଥଳବିଶେଷରେ ୬୫ କି.ମି ରହିପାରେ। ଜୁନ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୪୧୦ ମି.ମି. ବର୍ଷା ହୋଇଥିବାବେଳେ ଏହା ୧୨% ନିଅଣ୍ଟିଆ ରହିଛି। ୧୨ ଜିଲାରେ ସର୍ବାଧିକ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ବଙ୍ଗୋପସାଗରେ ୨୬ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ଏହାର ପ୍ରଭାବରେ ୨୭ରୁ ୨୯ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ବଢ଼ିବ। ଅଗଷ୍ଟ ଆରମ୍ଭରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ଏହା ଭାରି ବର୍ଷା ଆଣିବ ବୋଲି ସେ କହିଛନ୍ତି।

Exit mobile version