Site icon ଆଜିକାଲି

ରାଜ୍ୟରେ ଆହୁରି ୩ ଦିନ ତାତିରୁ ନାହିଁ ନିସ୍ତାର, ୨୩ରେ କିମ୍ବା ୨୪ରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର : ରାଜ୍ୟରେ ଗତ ୧୧ ଦିନ ହେଲା ଭୟଙ୍କର ରୂପ ଧାରଣ କରିଛି ତାତି। ହାତଗଣତି କିଛି ସ୍ଥାନକୁ ଛାଡ଼ି ଦେଲେ ସମସ୍ତ ସହରରେ ପ୍ରବଳ ଗରମ ଅନୁଭୂତ ହେଉଛି । ପାରଦ ଲଗାତାର ୪୦ ଡିଗ୍ରି ଉପରେ ରହୁଥିବା ବେଳେ ଆର୍ଦ୍ରତା ଯୋଗୁଁ ଉପକୂଳ ଓଡ଼ିଶାରେ ଗୁଳୁଗୁଳିର ମାତ୍ରା ବେଶ୍ ଅଧିକ ରହୁଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା କ୍ଷୀଣ।

ତେବେ ଗତ ୫୦ ବର୍ଷ ଭିତରେ ଏମିତି ଗ୍ରୀଷ୍ମ ଲହରି କେବେ ଦେଖିବାକୁ ମିଳିନଥିଲା। ସାଧାରଣତଃ ଗୋଟିଏ ବର୍ଷ ରେ ୧୧ଟି ଗ୍ରୀଷ୍ମ ଲହରି ଦିନ ରହିଥାଏ। ହେଲେ ଚଳିତ ବର୍ଷ ଏହା ୨୧ ଦିନ ପର୍ଯ୍ୟନ୍ତ ଲମ୍ବିସାରିଲାଣି। ଗତ ୨ ଦିନ ହେଲା ରାଜ୍ୟରେ ବିସ୍ଫୋରକ ରୂପ ନେଇଛି ତାତି। ସମ୍ବଲପୁରରୁ ସୋନପୁର, ଭୁବନେଶ୍ବରରୁ ଝାରସୁଗୁଡ଼ା, ହୀରାକୁଦରୁ କଟକ, ସବୁଠି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି । ଗତକାଲି ୪୫ ଡିଗ୍ରୀ ଉପରେ ରହିଥିଲା ୫ ସହର । ୪୪ ଡିଗ୍ରୀ ପାର୍ କରିଥିଲା ରାଜଧାନୀ ଭୁବନେଶ୍ବର । ଆହୁରି ୩ ଦିନ ତାତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗୋଟିଏ ପଟେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅନ୍ୟପଟରେ ଅଂଶୁଘାତଜନିତ ଅସୁସ୍ଥତା ଓ ମୃତ୍ୟୁ ନେଇ ଅଭିଯୋଗ ମଧ୍ୟ ବଢ଼ିଲାଣି। ପରିସ୍ଥିତିର ଗମ୍ଭୀରତା ଦେଖି ସ୍ବତନ୍ତ୍ର ରିଲିଫ୍ କମିସନର ସତ୍ୟବ୍ରତ ସାହୁ ଜରୁରୀ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସକାଳ ୧୦ଟା ପରେ ଲୋକମାନେ ଘରୁ ନ ବାହାରିବା ଲାଗି କୁହାଯାଉଛି । ଏ ସଂକ୍ରାନ୍ତରେ ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଆଉଥରେ ସତର୍କ କରାଯାଇଛି। ୨୦ ତାରିଖରୁ ଉପକୂଳରେ ସ୍ଥିତି ପରିବର୍ତ୍ତନ ଆସିପାରେ। ହେଲେ ପଶ୍ଚିମ ଓଡ଼ିଶାରେ ଆଉ ଦିନେ ଦୁଇଦିନ ଅଧିକ ଖରା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ୨୩ କିମ୍ବା ୨୪ରେ ମୌସୁମୀ ଓଡ଼ିଶା ଛୁଇଁବା ବୋଲି ପୂର୍ବାନୁମାନ କରିଛନ୍ତି ସିଇସି ସୋଆର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

Exit mobile version