Site icon ଆଜିକାଲି

ରାଜ୍ୟରୁ ମୌସୁମୀ ଫେରିବା ହୋଇପାରେ ବିଳମ୍ବ

ଭୁବନେଶ୍ୱର : ରାଜ୍ୟରୁ ମୌସୁମୀ ଫେରିବା ବିଳମ୍ବିତ ହୋଇପାରେ । ଉତ୍ତର ବଙ୍ଗୋପସାଗରରେ ମୌସୁମୀ ନିଷ୍କ୍ରିୟ ଅଛି । ୯ ତାରିଖ ବେଳକୁ ତାମିଲନାଡୁ ପାଖ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ କେରଳ ପାଖ ଦକ୍ଷିଣ ପୂର୍ବ ଆରବସାଗର ଯାଏ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରେ ଏହା ଲଘୁଚାପ ଓ ଗଭୀର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୧୬ ଓ ୧୭ ତାରିଖରେ ରାଜ୍ୟରେ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଡ. ପଶୁପାଳକଙ୍କ ଆକଳନ ଅନୁସାରେ, ଅକ୍ଟୋବର ୧୫ ତାରିଖ ଯାଏ ଉତ୍ତର ବଙ୍ଗୋପସାଗର ନିଷ୍କ୍ରିୟ ରହିବ । କୌଣସି ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ନାହିଁ । କିନ୍ତୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବଳ ଗୋଟାଇ ପରବର୍ତ୍ତୀ ଦୁଇଦିନରେ ଦକ୍ଷିଣ ଆରବ ସାଗର ଉପରେ ଲଘୁଚାପରେ ପରିଣତ ହେବ । ପରେ ଏହା ଉତ୍ତର ଆଡ଼କୁ ମୁହାଁଇବ । ୧୪ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ଓ ବର୍ଷା ହୋଇପାରେ ।

ରବିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ ସହ ବର୍ଷା ହୋଇଛି । ଗଞ୍ଜାମର ଆସ୍କାଠାରୁ କଟକ ଯାଏ ଘଡ଼ଘଡ଼ି ବର୍ଷା ହୋଇଛି । ସୋମବାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ବଙ୍ଗୋପସାଗରୀୟ ପବନ ସହିତ ଉତ୍ତର ଭାରତରୁ ଆସୁଥିବା ଶୁଷ୍କ ପବନ ମିଶିଯିବ । ଏଥିପାଇଁ ବାୟୁମଣ୍ଡଳ ଅସ୍ଥିର ହେବା ସହ ପରିଚଳନ ବର୍ଷା ହେବ । ମଙ୍ଗଳବାରଠାରୁ ଏହି ପରିଚଳନ ବର୍ଷା ଛତିଶଗଡ଼କୁ ମୁହାଁଇବ । ୧୨ ତାରିଖରେ ପବନର ଦିଗ ବଦଳିବ । ଉତ୍ତର ପଶ୍ଚିମ ଭାରତରୁ ପବନ ବହିବ । ଉପକୂଳ ସହିତ ଉତ୍ତର ଓଡ଼ିଶାରେ ରାତି ବେଳାର ତାପମାତ୍ରା ଧୀରେ ଧୀରେ କମିବ । କିନ୍ତୁ ଦିନବେଳାର ତାପମାତ୍ରା କମିବନି । ତେବେ ଗୁଳୁଗୁଳି କମିଯିବ ବୋଲି ସେ ଆକଳନ କରିଛନ୍ତି ।

ସୂଚନା ଯେ, ରବିବାର କଟକରେ ୨୬.୨, କେନ୍ଦୁଝର ଓ ଗୋପାଳପୁରରେ ୧୦.୬, ଭୁବନେଶ୍ୱରରେ ୧୦.୪, ବାରିପଦାରେ ୪.୨, ଦାରିଙ୍ଗିବାଡ଼ିରେ ୪ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ତଥ୍ୟ ଦେଇଛି । ଆସନ୍ତା ୧୦ ତାରିଖ ଯାଏ ବର୍ଷା ନେଇ କୌଣସି ସତର୍କ ସୂଚନା ଦିଆଯାଇନି।

Exit mobile version