ନୂଆଦିଲ୍ଲୀ : ଚଳିତ ବର୍ଷ ୮ ଦିନ ବିଳମ୍ବରେ ଆରମ୍ଭ ହୋଇଛି ମୌସୁମୀ ଅପସାରଣ ପ୍ରକ୍ରିୟା । ଦକ୍ଷିଣ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ମୌସୁମୀ ଲେଉଟିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସାଧାରଣତଃ ସେପ୍ଟେମ୍ବର ୧୭ ତାରିଖ ମୌସୁମୀ ଫେରିବା ସମୟ ଅଟେ, କିନ୍ତୁ ଚଳିତ ବର୍ଷ ଏଥିରେ ବିଳମ୍ବ ହୋଇଛି ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ୮ ଦିନ ବିଳମ୍ବରେ ଭାରତ ଛୁଇଁଥିଲା ମୌସୁମୀ । ଗତ ଜୁଲାଇ ୨ ତାରିଖରେ ଦେଶର ସବୁ ଅଞ୍ଚଳକୁ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେବେ ପ୍ରାୟ ୮୫ ଦିନ ପରେ ଅର୍ଥାତ୍ ଚଳିତ ବର୍ଷ ୮ ଦିନ ବିଳମ୍ବରେ ମୌସୁମୀର ଲେଉଟିବା ପ୍ରକିୟା ଆରମ୍ଭ ହୋଇଛି । ଆଗକୁ ଦେଶର ଅନ୍ୟ ଭାଗରୁ ମଧ୍ଯ ମୌସୁମୀ ବିଦାୟ ନେବ । ଅନ୍ୟପଟେ ଓଡ଼ିଶାରୁ କେବେ ମୌସୁମୀ ବାୟୁ କେବେ ପ୍ରତ୍ୟାବର୍ତ୍ତନ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସାଧାରଣତଃ ଅକ୍ଟୋବର ୧୫ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରୁ ଫେରିଥାଏ । ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଲଘୁଚାପ ଓ ଅବପାତର ରୂପ ନେଇପାରେ । ଏହାପରେ ଓଡ଼ିଶାରୁ ମୌସୁମୀର ଲେଉଟାଣି ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏଁ ସ୍ବାଭାବିକ ବର୍ଷା ହୋଇଛି ।