Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ମୂଳାଷ୍ଟମୀ, ମା’ବିମଳାଙ୍କ ଷୋଳ ପୂଜାର ଶୂଭାରମ୍ଭ

ପୁରୀ : ଆଜି ଶ୍ରୀମନ୍ଦିରରେ ମୂଳାଷ୍ଟମୀ । ଶ୍ରୀକ୍ଷେତ୍ରସ୍ଥିତ ଦେବୀ ପୀଠ ତଥା ଶ୍ରୀମନ୍ଦିରରେ ମା’ ବିମଳାଙ୍କ ଷୋଳ ପୂଜାର ଶୂଭାରମ୍ଭ । ଦେବୀ ଦୁର୍ଗାଙ୍କ ସହସ୍ରାକୁମ୍ଭାଭିଷେକ ଓ ଦେବୀ ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ପୀଠରେ ପୂଜାର୍ଚ୍ଚନା ପାଇଁ ଶ୍ରୀନହରରେ ବ୍ରାହ୍ମଣମାନେ ବରଣ ହେବେ । ଆସନ୍ତା ମାସ ଅକ୍ଟୋବର ୨ ତାରିଖ ମହାଳୟାରୁ ଶ୍ରୀଦୁର୍ଗାମାଧବଙ୍କ ବାହାର ବିଜେ । ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା ଆରମ୍ଭ । ଦେବଦେବୀ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ବିଜେ କରିବେ । ୯ ତାରିଖ ବୁଧବାର ମା’ ବିମଳାଙ୍କ ପୀଠରେ ମହାସପ୍ତମୀ, ୧୦ ତାରିଖ ଗୁରୁବାର ମହାଷ୍ଟମୀ, ୧୧ ତାରିଖ ଶୁକ୍ରବାର ମହାନବମୀ ପୂଜା ଅନୁଷ୍ଠିତ ହେବ । ୧୨ ତାରିଖରେ ମା’ଙ୍କ ବିଶ୍ରାମ ପୂଜା ହୋଇ ୧୩ ତାରିଖ ରବିବାର ଠାକୁରାଣୀଙ୍କ ଦଶହରା ପୂଜା ସମ୍ପନ୍ନ ହେବ ।

ଷୋଳ ପୂଜା ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ରତ୍ନଭଣ୍ଡାରରୁ ମା’ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ ହେବେ । ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ମା’ଦୁର୍ଗାଙ୍କୁ ଲାଗି କରାଯିବ । ମା’ଦୁର୍ଗା ସୋମନାଥ (ମାଜଣା) ମଣ୍ଡପକୁ ବିଜେ ହେବେ । ମା’ ଦୁର୍ଗାଦେବୀଙ୍କୁ ସହସ୍ରଗରା ଜଳ ଲାଗି କରାଯିବ । ଠାକୁରାଣୀଙ୍କ ବେଶ ଅନୁଷ୍ଠିତ ହୋଇ ଶୀତଳ ଭୋଗ ପ୍ରସାଦଲାଗି ହେବ । ଦେବୀ ଦୁର୍ଗା ବାହୁଡ଼ା ବିଜେ କରି ଭଣ୍ଡାର ଦ୍ୱାରକୁ ଆସିବେ । ମାଧବ ଆଜ୍ଞାମାଳ ପାଇ ଭଣ୍ଡାର ଦ୍ୱାରକୁ ଆସିବେ । ଭଦ୍ରାସନରେ ଉଭୟ ଦେବାଦେବୀ ରୁନ୍ଧା ହେବେ । ଦେବଦେବୀ ମା’ବିମଳା ଠାକୁରାଣୀଙ୍କ ଜଗମୋହନରେ ବିଜେ ହେବେ । ଶୀତଳ ଭୋଗ ଅର୍ପଣ କରାଯାଇ ଆଳତି ଓ ବନ୍ଦାପନା ନୀତି ବଢିବ । ଠାକୁରଙ୍କ ରାତି ଚନ୍ଦନଲାଗି ନୀତି ବଢ଼ିଲେ ସେବାୟତମାନେ ଦୁର୍ଗାମାଧବଙ୍କୁ ବିଜେ କରାଇ ଆଣି ଭଣ୍ଡାର ଘରେ ସ୍ଥାପନା କରିବେ ।

ଶାରଦୀୟ ପୂଜାର ଶେଷାର୍ଦ୍ଧରେ ଶ୍ରୀଦୁର୍ଗାମାଧବ ନାରାୟଣୀଙ୍କ ମନ୍ଦିରକୁ ବିଜେ କରି ନୀତି ସମ୍ପନ୍ନ ହେବ । ଏଥିସହ ଶ୍ରୀକ୍ଷେତ୍ରର ପ୍ରାଚୀନ ଦେବୀ ପୀଠରେ ମଧ୍ୟ ମା’ଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ ହେବ । ଶ୍ରୀନହର ସିଂହଦ୍ୱାରଠାରେ ବିରାଜିତ ମା’କନକଦୁର୍ଗାଙ୍କଠାରେ ପୂଜାର୍ଚ୍ଚନା କରାଯାଇ ବ୍ରାହ୍ମଣଙ୍କୁ ନୂତନ ବସ୍ତ୍ର, ଚିଟାଉ ଓ ନାରିକେଳ ଆଦି ଅର୍ପଣ କରାଯିବ । ଦେବୀ ପୀଠମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଚଣ୍ଡୀପାଠ ଓ ଠାକୁରାଣୀଙ୍କ ସହସ୍ରନାମ ପାଇଁ ବ୍ରାହ୍ମଣମାନେ ସ୍ୱତନ୍ତ୍ର ଦାୟିତ୍ୱ ଗ୍ରହଣ କରିବେ ।

Exit mobile version