Site icon ଆଜିକାଲି

ପଞ୍ଚଭୂତରେ ବିଲୀନ ହେଲେ ମହେଶ୍ବର ମହାନ୍ତି, ସ୍ବର୍ଗଦ୍ବାରରେ ହେଲା ଅନ୍ତିମ ସତ୍କାର

ପୁରୀ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂତ୍କାର କରାଯାଇଛି। ମରଶରୀରରେ ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। କର୍ମଭୂମିରୁ ଜନ୍ମଭୂମି ଯାଏଁ ଶହ ଶହ ଲୋକେ ଶେଷ ଦର୍ଶନ କରିଛନ୍ତି। ଲୁହ ଭିଜା ଆଖିରେ ପରିବାର ଲୋକ, ବନ୍ଧୁବାନ୍ଧବ, ରାଜନୈତିକ ଦଳ ସହିତ ସଂପୃକ୍ତି ରଖିଥିବା ବ୍ୟକ୍ତି, ଶୁଭେଚ୍ଛୁ ଓ ସମର୍ଥକମାନେ ବିଦାୟ ଦେଇଛନ୍ତି। ଅନ୍ତିମ ସତ୍କାର ବେଳେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ, ବିଜେଡିର ଅନ୍ୟ ବିଧାୟକ, ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଅନ୍ତିମ ସତ୍କାର ପୂର୍ବରୁ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ପ୍ରଥମେ ପୁରୀ ଜିଲ୍ଲା କୋର୍ଟକୁ ନିଆଯାଇଥିଲା। ତା’ପରେ ପାର୍ଥିବ ଶରୀରକୁ ସେଠାରୁ ନେଇ ତାଙ୍କ ବସଭବନରେ ପ୍ରାୟ ଅଧଘଣ୍ଟା ଯାଏଁ ରଖାଯାଇଥିଲା। ସେଠାରେ ପରିବାର, ସାହିପଡ଼ିଶା ଓ ବନ୍ଧୁବାନ୍ଧବଙ୍କ ସମେତ ଦଳଗତ ନିର୍ବିଶେଷରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନିବାସରୁ ମରଶରୀରକୁ କୁମୁଟିପାଟଣା ସାହିରେ ପରିକ୍ରମା କରାଯାଇ ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ପରେ ଏହା ସ୍ବର୍ଗଦ୍ବାରରେ ପହଞ୍ଚି ଥିଲା।

ଆଜି ପୂର୍ବାହ୍ଣରେ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀରକୁ ଘରୋଇ ହସ୍ପିଟାଲରୁ ଅଣାଯାଇ ବିଜେଡି ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖଭବନ’କୁ ନିଆଯାଇଥିଲା। ଦଳୀୟ ନେତା ଓ କର୍ମୀ ସେଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ସେଠାରେ ପହଞ୍ଚି ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।।

Exit mobile version